ମାସକୁ ୧୫ ଲକ୍ଷ ମାଗିଲେ ହସିନ୍‌

ସାନି ଅଡ଼ୁଆରେ ସାମି

କୋଲକାତା: କ୍ରିକେଟର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ଗଣ୍ଡଗୋଳ ବୁଧବାର ନୂଆ ମୋଡ଼ ନେଇଛି। ସାମିଙ୍କଠାରୁ ହସିନ ମାସିକ ୧୫ ଲକ୍ଷ ଟଙ୍କାର ଭରଣ ପୋଷଣ ଦାବି କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଲ୍ଲୀପୁର ଅଦାଲତରେ ଆଉ ଏକ ମାମଲା ଦାୟର କରି ହସିନ୍‌ ନିଜ ପାଇଁ ମାସିକ ୧୦ ଲକ୍ଷ ଏବଂ ଝିଅ ଆରିଆ ପାଇଁ ମାସିକ ୫ ଲକ୍ଷ ଟଙ୍କାର ଭରଣ ପୋଷଣ ଦେବାକୁ ସାମିଙ୍କୁ କହିବାକୁ ମାନ୍ୟବର ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ସାମିଙ୍କ ବିରୋଧରେ ହସିନ୍‌ ଆଣିଥିବା ଘରୋଇ ହିଂସା ମାମଲାର ଶୁଣାଣି କରୁଥିବା ଅଲ୍ଲୀପୁର କୋର୍ଟର ତୃତୀୟ ବିଚାର ବିଭାଗୀୟ ବିଚାରପତି ସାମି ଏବଂ ତାଙ୍କ ପରିବାରକୁ ନୋଟିସ୍‌ ଜାରି କରି ୧୫ ଦିନ ମଧ୍ୟରେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଲାଗି ମାନ୍ୟବର ବିଚାରପତି ମେ ୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ମଙ୍ଗଳବାର ହସିନ ଅଲ୍ଲୀପୁର ଅଦାଲତରେ ପହଞ୍ଚି ସାମି, ତାଙ୍କ ମା’ ଅଞ୍ଜୁମନ ଆରା ବେଗମ, ଭଉଣୀ ସବିନା ଅଞ୍ଜୁମ, ଭାଇ ମହମ୍ମଦ ହସିବ ଅହମ୍ମଦ ଓ ତାଙ୍କ ପତ୍ନୀ ଶାମା ପରବିନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ପୁଲିସ ଅଦାଲତଙ୍କ ନିର୍ଦେଶ ପରେ ସାମିଙ୍କ ଗାଁରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଛି। ତେବେ ସାମି ଆଇପିଏଲ୍‌ ଖେଳୁ୍‌ଥିବାରୁ ପୁଲିସ ତାଙ୍କ ସହ କଥା ହେବାର ସୁଯୋଗ ପାଇନି। ହସିନଙ୍କ ଓକିଲ କହିଛନ୍ତି ଯେ ମନୋମାଳିନ୍ୟ ପରଠାରୁ ହସିନଙ୍କୁ ସାମି ମାତ୍ର ୧ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ଏହି ଚେକ୍‌ଟି ବାଉନ୍ସ ହୋଇ ଯାଇଛି। ଏବେ ଚଳିବା ପାଇଁ ହସିନଙ୍କ ପାଖରେ ଟଙ୍କାଟିଏ ବି ନାହିଁ।

ସମ୍ବନ୍ଧିତ ଖବର