କୁଲ୍‌ଦୀପ୍‌ ଆମକୁ ପୂରା ଧୋକା ଦେଲେ: ମୋର୍ଗାନ୍‌

ମାଞ୍ଚେଷ୍ଟର (ଲଣ୍ଡନ): ମଙ୍ଗଳବାର ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ସ୍ପିନର କୁଲ୍‌ଦୀପ୍‌ ଯାଦବ ଆମକୁ ପୂରା ଧୋକା ଦେଲେ। ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ମାନେ ତାଙ୍କ ସ୍ପିନ୍‌ ଯାଦୁରେ ପୂରାମାତ୍ରାରେ ଧୋକା ଖାଇଗଲେ। ଯାହା ଫଳରେ ଆମେ ପରାଜୟ ପାଇଁ ବାଧ୍ୟ ହେଲୁ ବୋଲି ମ୍ୟାଚ୍‌ ଶେଷରେ ପ୍ରତିକ୍ରିୟା ରଖିଥିଲେ ଘାରାଇ ଦଳର ଅଧିନାୟକ ଇଅନ୍‌ ମୋର୍ଗାନ୍‌। ଫଳରେ ଆଗାମୀ ମ୍ୟାଚ୍‌ଗୁଡ଼ିକରେ କଚଟି ସ୍ପିନରଙ୍କୁ ଖେଳିବା ନେଇ ତାଙ୍କ ଦଳ ସ୍ୱତନ୍ତ୍ର ଯୋଜନା କରିବ ବୋଲି ମୋର୍ଗାନ୍‌ କହିଛନ୍ତି। ତଥାପି ଜୋସ୍‌ ବଟ୍ଟଲର୍‌ ଯେଭଳି ଧୈର୍ଯ୍ୟ ଓ ଏକାଗ୍ରତାର ପରିଚୟ ଦେଲେ ସେଥିରୁ ଭାରତୀୟ ସ୍ପିନରଙ୍କୁ କିପରି ସାମ୍‌ନା କରିହେବ ସେନେଇ ତାଙ୍କଠୁ ସାଥୀ ଖେଳାଳି ବିଶେଷକରି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ମାନଙ୍କୁ ଶିଖିବା କଥା ବୋଲି ମୋର୍ଗାନ୍‌ ଚେତାଇ ଦେଇଛନ୍ତି। ଆମେ ଗତବର୍ଷ ବେଙ୍ଗାଲୁରୁରେ ଭଲ ଖେଳିନଥିଲୁ। ସେହି ମ୍ୟାଚ୍‌ରେ ୟୁଜ୍‌ବେନ୍ଦର ଚହଲ୍‌ (୬/୨୫) ଆମକୁ ଚକ୍‌ମା ଦେଇଥିଲେ। ହେଲେ ସେହି ମ୍ୟାଚ୍‌ ଏବଂ ମଙ୍ଗଳବାରର ମ୍ୟାଚ୍‌ ସଂପୂର୍ଣ୍ଣ ଭିନ୍ନ ଥିଲା। ଆମେ ଭଲ ଆରମ୍ଭ ପାଇଥିଲୁ। ମାତ୍ର ମଧ୍ୟକ୍ରମରେ ବିପର୍ଯ୍ୟୟ ଏବଂ କୁଲ୍‌ଦୀପ୍‌ଙ୍କ ଧୋକା ହିଁ ଆମକୁ ଆଉ ୩୦ରୁ ୪୦ ରନ୍‌ ପଛରେ ପକାଇଦେଲା। ଆରମ୍ଭ ଯେପରି କରିଥିଲୁ ଆମେ ୨୦୦ ରନ୍‌ କରିବା ଉଚିତ ଥିଲା। ତାହା କରିଥିଲେ ଭାରତକୁ ଚାପରେ ରଖି ମ୍ୟାଚ୍‌ ହାତେଇ ପାରିଥାନ୍ତୁ। ହେଲେ କୁଲ୍‌ଦୀପ୍‌ ସବୁକିଛି ବିଗାଡ଼ିଦେଲେ। ସେ ୪ ବଲ୍‌ ବ୍ୟବଧାନରେ ୩ ଓ୍ଵିକେଟ୍‌ ନେବା ଆମର ବଡ଼ ସ୍କୋର୍‌ ଆଶାକୁ ଧୂଳିସାତ୍‌ କରିଦେଲା। କୁଲ୍‌ଦୀପ୍‌ ଚମତ୍କାର ବୋଲିଂ କରିଥିଲେ। ହେଲେ ଆମେ ତାଙ୍କୁ ଦୃଢ଼ତାର ସହ ଖେଳିପାରିବୁ ବୋଲି ଜାଣିଥିଲୁ। ମାତ୍ର ବିଫଳ ହେଲୁ। ଶେଷରେ ୧୬୦ ରନ୍‌ର ଲକ୍ଷ୍ୟ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମ ପାଇଁ କଷ୍ଟକର ନଥିଲା ବୋଲି ମୋର୍ଗାନ୍‌ କହିଛନ୍ତି। ବିଶେଷକରି ଲୋକେଶ ରାହୁଲ୍‌ ଯେଭଳି ଖେଳିଲେ ତାହା ଆମକୁ ଚକିତ କରିଦେଲା। ସେ ଏକାକି ଆମଠୁ ମ୍ୟାଚ୍‌ ଛଡ଼ାଇନେଲେ। ତେଣୁ ଏବେଠୁ ସ୍ପିନରଙ୍କ ବିପକ୍ଷରେ ଆମ ଯୋଜନାର ସମୀକ୍ଷା କରିବାକୁ ବାଧ୍ୟ ହେବୁ ବୋଲି ମୋର୍ଗାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର