ମସ୍କୋ ମହାସମର: ରୁଷିଆ-ସାଉଦି ଲଢ଼େଇରୁ ଶୁଭାରମ୍ଭ

ମସ୍କୋ: ରୁଷିଆ ରାଜଧାନୀ ମସ୍କୋରେ ଗୁରୁବାରଠାରୁ ଫୁଟବଲ୍‌ ମହାସମର ଆରମ୍ଭ ହେବ। ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଶ୍ୱକପ୍‌ ପାଇଁ ଲଢ଼େଇ ଚାଲିବ। ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ଜର୍ମାନି ବାଜି ମାରି ନେଇଥିଲା। ଏଥର କିଏ କପ୍‌ ତୋଳି ଧରିବ ତାହା ଜୁଲାଇ ୧୫ର ଫାଇନାଲ୍‌ ପରେ ଜଣାପଡ଼ିବ। ୩୨ ଦଳକୁ ନେଇ ମାସାଧିକ କାଳ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ଫୁଟ୍‌ବଲ୍‌ ତାରକାକୁ ନିଜ ନିଜର ପରାକାଷ୍ଠା ଦେଖାଇବାର ସୁଯୋଗ ମିଳିବ। ଲିଓନେଲ୍‌ ମେସି, କ୍ରିଷ୍ଟିଆନୋ ରୋନାଲଡୋ, ନେମାର, ଲୁଇସ୍‌ ସୁଆରେଜଙ୍କ ଭଳି ଖେଳାଳି ବିଶ୍ୱକପ୍‌ର ପ୍ରମୁଖ ଆକର୍ଷଣ ହେବେ। ତେବେ ଫୁଟ୍‌ବଲର ଏହି ମହାକୁମ୍ଭରୁ କିଛି ନୂଆ ନାୟକ ମଧ୍ୟ ବାହାରିବେ। ଚଳିତ ଜୁନ୍‌ ୧୪ ଅର୍ଥାତ୍‌ ଆସନ୍ତାକାଲିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱକପ୍‌ ରୁଷିଆର ୧୧ ସହରର ୧୨ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପ୍‌ର ଏହି ୨୧ତମ ସଂସ୍କରଣର ଶୁଭାରମ୍ଭ ଆୟୋଜକ ରୁଷିଆ ଏବଂ ଏସୀୟ ରାଷ୍ଟ୍ର ସାଉଦି ଆରବ ଲଢ଼େଇରୁ ହେବ। ଏହି ମ୍ୟାଚ୍‌ ମସ୍କୋର ଲୁଝ୍‌ନିକି ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ ପୂର୍ବରୁ ଅଧଘଣ୍ଟାଏର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ପିଟାନା ପ୍ରଥମ ମ୍ୟାଚ୍‌ ରେଫରି
ଆର୍ଜେଣ୍ଟିନାର ନେଷ୍ଟର ପିଟାନା ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇବେ। ରୁଷିଆ-ସାଉଦି ଆରବ ଉଦ୍‌ଘାଟନୀ ମ୍ୟାଚ୍‌ ଲାଗି ଫିଫା ତାଙ୍କୁ ରେଫରି ନିଯୁକ୍ତ କରିଛି। ତାଙ୍କୁ ଲାଇନରେ ସେହି ଆର୍ଜେଣ୍ଟିନାର ଜୁଆନ ପାବ୍‌ଲୋ ବେଲାଟି ଏବଂ ହେରନାନ ମଇଦାନା ସହାୟତା କରିବେ। ବ୍ରାଜିଲର ସାନ୍ଦ୍ରୋ ରିକି ଚତୁର୍ଥ ଅଧିକାରୀ ଦାୟିତ୍ୱରେ ରହିବେ। ସେହିଭଳି ଭିଡିଓ ରେଫରି ଦଳରେ ଇଟାଲିର ମାସିମିଲିଆନୋ ଇରାତି, ଡାନିଏଲ ଓର୍ସାଟୋ, ଆର୍ଜେଣ୍ଟିନାର ମୌରୋ ଭିଜିଲାନୋ, ଚିଲିର କାର୍ଲୋସ୍‌ ଆଷ୍ଟ୍ରୋଜା ଅଛନ୍ତି। ଗୁରୁବାର ପଡ଼ିଆକୁ ଓହ୍ଲାଇବା ପରେ ଦୁଇଟି ବିଶ୍ୱକପ୍‌ରେ ରେଫରି ଦାୟିତ୍ୱ ତୁଲାଇବାରେ ନର୍ବେଟୋ କୋରେଜା (୧୯୭୦, ୧୯୭୮)ଙ୍କ ପରେ ପିଟାନା ଦ୍ୱିତୀୟ ଆର୍ଜେଣ୍ଟେନୀୟ ରେଫରି ହେବେ। ୨୦୦୭ରେ ଆର୍ଜେଣ୍ଟିନା ଲିଗ୍‌ରେ ରେଫରି ଜୀବନ ଆରମ୍ଭ କରିଥିବା ପିଟାନା ୨୦୧୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ସେ ଫ୍ରାନ୍ସ-ଜର୍ମାନି କ୍ୱାର୍ଟର ଫାଇନାଲ୍‌ ସହ ଚାରିଟି ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଜର୍ମାନି-ନାଇଜେରିଆ ସେମିଫାଇନାଲ୍‌ ଦାୟିତ୍ୱରେ ଥିଲେ।

ରୁଷିଆ-ସାଉଦି ଲଢ଼େଇରୁ ଶୁଭାରମ୍ଭ
୨୦୦୮ ମସିହା ପରଠାରୁ ରୁଷିଆ ଗ୍ରୁପ୍‌ ପର୍ଯ୍ୟାୟ ଅଗକୁ ବଢ଼ିନି। ଏଥର ବି ଏହି ଦେଶ ଆୟୋଜକ ରାଷ୍ଟ୍ର ଭାବେ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଚଳିତ ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରୁଥିବା ୩୨ ଦଳ ମଧ୍ୟରୁ ରୁଷିଆର ବିଶ୍ୱ ମାନ୍ୟତା ହେଉଛି ସବୁଠାରୁ କମ୍‌ । ସାଉଦି ଆରବ ଫିଫା ମାନ୍ୟତାର ୬୭ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରୁଷିଆର ଫିଫା ମାନ୍ୟତା ହେଉଛି ୭୦। ଉଭୟ ଦଳ ବିଶ୍ୱକପ୍‌ ପୂର୍ବରୁ ଖେଳିଥିବା କେତେକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟଶୂନ୍ୟ ରହିଛନ୍ତି। ଗତ ମ୍ୟାଚ୍‌ରେ ଇଟାଲିଠାରୁ ୧-୨ରେ ହାରିଥିବା ସାଉଦି ଆରବ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଖେଳିବ। ଅନ୍ୟପକ୍ଷରେ ରୁଷିଆ ଏକାଦଶ ଥର ପାଇଁ ବିଶ୍ୱକପ୍‌ ପଦାର୍ପଣ କରିବ। ୧୯୬୬ ମସିହାର ଚତୁର୍ଥ ସ୍ଥାନ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ୨୦୦୨ ମସିହା ପରଠାରୁ ରୁଷିଆ ବିଶ୍ୱକପ୍‌ରେ ବିଜୟ ହାସଲ କରି ନାହିଁ। ସେପଟେ ୧୯୯୪ ମସିହା ପରେ ସାଉଦି ଆରବ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ବିଶ୍ୱକପ୍‌ ଇତିହାସରେ କୌଣସି ଆୟୋଜକ ଦଳ ଏ ପର୍ଯ୍ୟନ୍ତ ଉଦଘାଟନୀ ମ୍ୟାଚ୍‌ ହାରି ନାହାନ୍ତି। ସେହି ଦୃଷ୍ଟିରୁ ରୁଷିଆକୁ ହରାଇଲେ ସାଉଦି ଆରବ ନୂଆ ଇତିହାସ ରଚିବ।

ବ୍ରାଜିଲ ପାଇଁ ଭିଡ଼
ବିଶ୍ୱକପ୍‌ର ସଫଳତମ ଦଳ ବ୍ରାଜିଲ ରୁଷିଆରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଯାହା ବୁଧବାର ଏହି ଦଳ କରିଥିବା ଅଭ୍ୟାସରୁ ଜଣା ପଡ଼ିଛି। ବ୍ରାଜିଲ ଦଳ ଏବଂ ବିଶେଷ କରି ଏହାର ଯୁବ ତାରକା ନେମାରଙ୍କୁ ଦେଖିବା ଲାଗି ରୁଷିଆବାସୀ ଏକ ପ୍ରକାର ପାଗଳ। ସେଥିପାଇଁ ବ୍ରାଜିଲ ଦଳ ବୁଧବାର ଅଭ୍ୟାସ କରୁଥିଲା ବେଳେ ସେଠାରେ ୫,୦୦୦ ଫୁଟବଲ୍‌ ପ୍ରେମୀ ଜମା ହୋଇ ଯାଇଥିଲେ। ଅପରପକ୍ଷେ ମଙ୍ଗଳବାର ବ୍ରାଜିଲ ରହୁଥିବା କାଜାନରେ ସରକାରୀ ଛୁଟି ଥବା ସତ୍ତ୍ୱେ ଏଠାରେ ଅଷ୍ଟ୍ରେଲିଆ ଅଭ୍ୟାସ କରୁଥିଲା ବେଳେ ମାତ୍ର ୩୨୦୦ ଦର୍ଶକ ସେମାନଙ୍କୁ ଦେଖିବାକୁ ଆସିଥିଲେ।

ମସ୍କୋରେ ମେସି ମାନିଆ
ଭାରତୀୟ ସହର କୋଲକାତା ଭଳି ମସ୍କୋରେ ମଧ୍ୟ ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସିଙ୍କର ଢେର ସମର୍ଥକ ଅଛନ୍ତି। ମେସିଙ୍କ ଟିକିଏ ଝଲକ ପାଇବା ଲାଗି ମସ୍କୋ କ୍ରୀଡ଼ା ପ୍ରେମୀ ଏକ ପ୍ରକାର ପାଗଳ ହୋଇ ଯାଉଛନ୍ତି। ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇଲା ବେଳେ ମେସି ମେସି ରଡ଼ିରେ ସେମାନେ କଜ୍ରାନ୍‌ ଷ୍ଟାଡିୟମ କମ୍ପାଇ ଦେଉଛନ୍ତି। କେହି କେହି ତ ନିଆରା କେଶ ବିନ୍ୟାସ କରି ମେସିଙ୍କ ଚିତ୍ର ନିଜ ମୁଣ୍ଡରେ ସ୍ଥାନ ଦେଇଛନ୍ତି।

ସମ୍ବନ୍ଧିତ ଖବର