ମସ୍କୋ ବିଶ୍ୱକପ୍‌କୁ ହିଟଲର ଅଲିମ୍ପିକ୍ସ ସହ ତୁଳନା

ଲଣ୍ଡନ: ଆରମ୍ଭ ହେବା ପରଠାରୁ ମସ୍କୋ ବିଶ୍ୱକପ୍‌ ପ୍ରଶଂସକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇ ଆସୁଛି। ଉଦ୍‌ଘାଟନୀ ମୁକାବିଲାରେ ଆୟୋଜକ ରୁଷିଆ ୫-୦ ଗୋଲ୍‌ରେ ସାଉଦି ଆରବକୁ ହରାଇବା ଠାରୁ ପର୍ତୁଗାଲ-ସ୍ପେନ୍‌ ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ଏବଂ ବିଶ୍ୱବିଜେତା ଜର୍ମାନିକୁ ମେକ୍ସିକୋ ହରାଇବା ପର୍ଯ୍ୟନ୍ତ ଅନେକ ସଂଘର୍ଷପୂର୍ଣ୍ଣ ମୁହୂର୍ତ ସହ ଚଳିତ ବିଶ୍ୱକପ୍‌ ଦର୍ଶକଙ୍କୁ ପୂରା ବାନ୍ଧି ରଖିଛି। ହେଲେ ରାଜନୈତିକ ଦୃଷ୍ଟିକୋଣରୁ ମସ୍କୋ ବିଶ୍ୱକପ୍‌ ପୂର୍ବର ଅଧିକାଂଶ ବିଶ୍ୱକପ୍‌ଠାରୁ ତୁଳନାତ୍ମକ ଭାବେ ଅଧିକ ବିବାଦୀୟ ହୋଇ ଯାଇଛି। ବିଶେଷ କରି ପଶ୍ଚିମ ଦେଶଗୁଡ଼ିକ ସହ ରୁଷିଆର ବିଗିଡ଼ି ଚାଲିଥିବା ସଂପର୍କ ବିଶ୍ୱକପ୍‌ ଉପରେ କଳା ବାଦଲ ଭଳି ଝୁଲି ରହିଛି। ସେଥିପାଇଁ ବ୍ରିଟିସ୍‌ ସାଂସଦ ଇଆନ ଅଷ୍ଟିନ ମସ୍କୋ ବିଶ୍ୱକପ୍‌କୁ ଏକଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ଛତ୍ରଛାୟା ତଳେ ଜର୍ମାନିରେ ଆୟୋଜିତ ହୋଇଥିବା ୧୯୩୬ ଅଲିମ୍ପିକ୍ସ ସହ ତୁଳନା କରିଛନ୍ତି। ଏହି ଦେଶର ବୈଦେଶିକ ସଚିବ ବୋରିସ୍‌ ଜନସନ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ହିଟ୍‌ଲର ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ସେ ମତ ରଖିଛନ୍ତି। ହେଲେ ଫୁଟ୍‌ବଲ ସାରା ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ପାରିବ ବୋଲି ପୁଟିନ କହିଛନ୍ତି। ତାଙ୍କ ମନ୍ତବ୍ୟକୁ କିନ୍ତୁ ପଶ୍ଚିମ ଦେଶଗୁଡ଼ିକ ପରୋକ୍ଷରେ ଛଳନାର ଆଖ୍ୟା ଦେଇଛନ୍ତି। ବିଶ୍ୱକପ୍‌ ଏକ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲେ ମଧ୍ୟ ଏହାର ଯଥେଷ୍ଟ ରାଜନୈତିକ ପ୍ରଭାବ ଥିବା ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକ କହିଛନ୍ତି। ବିଶ୍ୱ ଫୁଟ୍‌ବଲ୍‌ ମହାସଂଘ ବା ଫିଫାର ୨୧୧ ସଦସ୍ୟ ଅଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ପାଖାପାଖି ଦୁଇ ତୃତୀୟାଂଶ କେବେ ବି ବିଶ୍ୱକପ୍‌ ଖେଳି ନାହାନ୍ତି। ଚଳିତ ବର୍ଷ ବିଶ୍ୱକପ୍‌ ଖେଳିବାରେ ଆଇସ୍‌ଲାଣ୍ଡ ଓ ପାନାମା ୭୮ ଏବଂ ୭୯ତମ ଦେଶ ହୋଇଛନ୍ତି। ସେହି ଦୃଷ୍ଟିରୁ ବିଶ୍ୱକପ୍‌ର ଅସଲ ଶକ୍ତିକୁ ଏପର୍ଯ୍ୟନ୍ତ ଠିକ୍‌ ଭାବେ ଉପଯୋଗ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଅବଶ୍ୟ ବିଶ୍ୱକପ୍‌ର କୌଣସି ଦେଶକୁ ଏକାଠି କରିବାର ଶକ୍ତି ରହିଛି। ମସ୍କୋ ବିଶ୍ୱକପ୍‌ ଖେଳୁଥିବା କେତେକ ଦେଶରେ ଗୃହଯୁଦ୍ଧ ଚାଲିଥିଲେ ମଧ୍ୟ ଉଭୟ ସରକାର ଓ ବିପକ୍ଷ ନିଜ ଦଳକୁ ସମର୍ଥନ କରୁଛନ୍ତି। ତଥାପି ବିଶ୍ୱକପ୍‌ର ଅନେକ ଅନାଲୋଚିତ ଓ କଳା ଦିଗ ରହିଛି। ଫିଫା ଆର୍ଥିକ ଦୁର୍ନୀତି ଠାରୁ ଆରମ୍ଭ କରି ମସ୍କୋ ବିଶ୍ୱକପ୍‌ ବେଳେ ଦୁର୍ନୀତି ବିରୋଧୀ ବିକ୍ଷୋଭ ଫୁଟବଲ୍‌ ପ୍ରେମୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର