ଭୂପୃଷ୍ଠର ସବୁଠୁ ଗର୍ବିତ ମଣିଷ ‘ମାର୍ଟିନେଜ’

ମସ୍କୋ: ବିଶ୍ୱକପ୍‌ରୁ ୫ ଥର ବିଜେତା ବ୍ରାଜିଲ୍‌କୁ ବିଦାୟ ରାସ୍ତା ଦେଖାଇଥିବା ବେଲଜିୟମ୍‌ ଦଳର ପ୍ରଶିକ୍ଷକ ରବର୍ଟ ମାର୍ଟିନେଜ୍‌ ଏବେ ଭୂପୃଷ୍ଠର ସବୁଠୁ ଗର୍ବିତ ମଣିଷ। ଅଣ୍ଡରଡଗ୍‌ ଭାବେ ଆସିଥିବା ବେଲ୍‌ଜିୟମ୍‌କୁ ସେମିଫାଇନାଲ୍‌ରେ ପହଞ୍ଚାଇବା ପରେ ଏଭଳି ଆଖ୍ୟା ପାଇଛନ୍ତି ମାର୍ଟିନେଜ୍‌। ଆକ୍ରାମକ ଫୁଟ୍‌ବଲ୍‌ ଖେଳର ନିଖୁଣ ନିଦର୍ଶନ ଦେଖାଇ ବେଲ୍‌ଜିୟମ୍‌ ବି ବିଶ୍ୱବ୍ୟାପୀ ଫୁଟ୍‌ବ୍‌ଲ ପ୍ରେମୀଙ୍କୁ ବିମୋହିତ କରିଛି। କାଜାନରେ ଶୁକ୍ରବାର ସାହସିକ ପ୍ରଦର୍ଶନ ଜରିଆରେ ବ୍ରାଜିଲ୍‌କୁ ୨-୧ରେ ମାତ୍‌ ଦେଇ ୩୨ ବର୍ଷ ପରେ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ମଙ୍ଗଳବାର ସେମିଫାଇନାଲରେ ବେଲ୍‌ଜିୟମ୍‌ ୧୯୯୮ ବିଜେତା ଫ୍ରାନ୍‌ସକୁ ଭେଟିବ। ମାରୌନ୍‌ ଫେଲାନି ଏବଂ ନାସିର୍‌ ଚାଡଲିଙ୍କୁ ପଦୋନ୍ନତି ଦେଇ ମାର୍ଟିନେଜ୍‌ ପ୍ରାରମ୍ଭ ଏକାଦଶରେ ଖେଳାଇଥିଲେ। ସେହିଭଳି ଡ୍ରାଏସ୍‌ ମେର୍ଟନ୍‌ସଙ୍କୁ ବସାଇ କେଭିନ୍‌ ଡି’ ବ୍ରୁଇନ୍‌ଙ୍କୁ ପ୍ଲେ ମେକର ବନାଇଥିଲେ। ଡି’ ବ୍ରୁଇନ୍‌ଙ୍କ ୩୧ତମ ମିନିଟ୍‌ ଗୋଲ୍‌ ବି ବ୍ରାଜିଲ୍‌ ମନୋବଳକୁ ଭାଙ୍ଗି ଦେଇଥିଲା। ବ୍ରାଜିଲ୍‌ ସପକ୍ଷରେ ମନସ୍ତାତ୍ୱିକ ଫାଇଦା ଥିଲା। ଆମକୁ ଏହି ପ୍ରତିବଂଧକ ଡେଇଁବାର ଥିଲା। ହଳଦିଆ ସାର୍ଟ, ୫ ଥର ବିଶ୍ୱ କପ୍‌ ବିଜେତା ସବୁକିଛି ତାଙ୍କ ସପକ୍ଷରେ ଥିଲା। କୌଶଳରେ ଆମକୁ ସାହସିକତା ଦେଖାଇବାକୁ ପଡ଼ିଥିଲା ବୋଲି ମାର୍ଟିନେଜ୍‌ କହିଛନ୍ତି। ମୁଁ ଖେଳାଳିଙ୍କଠାରୁ କଠୋରତମ କୌଶଳ ଦେଇ ସଫଳ ହୋଇଥିବାରୁ ନିଜକୁ ଏବେ ଭୂପୃଷ୍ଠର ସବୁଠୁ ଗର୍ବିତ ମଣିଷ ମନେ କରୁଛି ବୋଲି ମାର୍ଟିନେଜ ପ୍ରକାଶ କରିଛନ୍ତି। ମାର୍ଟିନେଜଙ୍କ ଦଳ ପ୍ରଥମ ଥର ପାଇଁ ଫାଇନାଲ୍‌ ପ୍ରବେଶ ଲାଗି ଏବେ ଫ୍ରାନସକୁ କାଟିବାକୁ ପଡ଼ିବ। ଏହି ସେମିଫାଇନାଲ୍‌ ସେଣ୍ଟପିଟର୍ସବର୍ଗରେ ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର