ମୋଟର ରାଲିରେ ମହାତ୍ମାଙ୍କ ବାର୍ତା

ଦିଲ୍ଲୀରୁ ୟାଙ୍ଗୁନ, ୨୧ ଦିନ, ୭୮୧୦ କିଲୋମିଟର

ଭୁବନେଶ୍ବର: ମୋଟର ସାଇକେଲ୍ ରାଲିରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ମୈତ୍ରୀର ବାର୍ତା। ତା’ ସହ ସଡ଼କ ସୁରକ୍ଷାର ସଚେତନତା। ଏଭଳି ଯୁଗଳ ଲକ୍ଷ୍ୟ ନେଇ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍ (କେଏମ୍‌ଏସ୍‌ସି) ଆୟୋଜନ କରିଥିଲା ସପ୍ତମ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମୋଟର ରାଲି। ଯାହା ଦିଲ୍ଲୀରୁ ଆରମ୍ଭ ହୋଇ ମିଆଁମାରର ୟାଙ୍ଗୁନରେ ଶେଷ ହୋଇଥିଲା। ୨୧ ଦିନ ଏବଂ ୭୮୧୦ କିଲୋମିଟର ଦୂରତା ବିଶିଷ୍ଟ ଏହି ରାଲି ଗାନ୍ଧୀଙ୍କ ଜୀବନରେ ସ୍ବତନ୍ତ୍ର ମହତ୍ବ ରଖିଥିବା ସହରଗୁଡ଼ିକ ଦେଇ ଯାତ୍ରା କରିଥିଲା। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମତିଥି ଏବଂ ୩୦ତମ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଏହି ରାଲି ଆୟୋଜିତ ହୋଇଥିଲା। ଯାହାର ଦାୟିତ୍ବ କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ କେଏମ୍‌ଏସ୍‌ସିକୁ ଦେଇଥିଲା। ରାଲିକୁ ନୂଆଦିଲ୍ଲୀର ରାଜଘାଟଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଫେବ୍ରୁଆରି ୪ ତାରିଖର ଏହି ଉଦ୍‌ଘାଟନୀ ଉତ୍ସବରେ ୧୯୯୪ରୁ ୧୯୯୪୮ ମସିହା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଥିବା ୯୭ ବର୍ଷୀୟ ଭି କଲ୍ୟାଣମ୍ ଯୋଗ ଦେଇଥିଲେ। ଏହା ପରେ ରାଲି ଆଜମେର, ଅହମ୍ମଦାବାଦ, ଲକ୍ଷ୍ନୌ, ପାଟନା, ଧାନବାଦ, ଢାକା, ଅଗରତାଲା ଦେଇ ୟାଙ୍ଗୁନରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମ ଲାଗି ମହିନ୍ଦ୍ରା ଆଡଭେଞ୍ଚର୍ସ ପକ୍ଷରୁ ୧୫ଟି ସ୍କର୍ପିଓ ଗାଡ଼ି ଯୋଗାଇ ଦିଆଯାଇଥିଲା। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ସହ ସମାଜର ସବୁବର୍ଗର ୪୨ ଜଣ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରେ ଥିଲେ ୧୧ ଜଣ ମହିଳା। ବୁଧବାର ଏଥିନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଲି ନେଇ କେଏମ୍‌ଏସ୍‌ସି ପକ୍ଷରୁ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଏହି ଅବସରରେ କେଏମ୍‌ଏସ୍‌ସିର ରମେଶ ମହାପାତ୍ର, ଏସ୍‌ଆର ସଞ୍ଜୟ, ଲଜପତ ପ୍ରସାଦ, ରଶ୍ମି ରଞ୍ଜନ କାନୁନଗୋ ଓ ଅରୁଣ କୁମାର ଭାଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର