ଭୁବନେଶ୍ୱର: ରାଜ୍ୟର ଯୁବ ପର୍ବତାରୋହି ନୃସିଂହ ଚରଣ ସାହୁଙ୍କ ମାଉଣ୍ଟ୍ କୁନ୍ ଅଭିଯାନକୁ ଶନିବାର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଜାତୀୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନୃସିଂହଙ୍କ ଅଭିଯାନକୁ ଆଶୀର୍ବାଦ ଦେବା ସହ ଶୁଭେଚ୍ଛା ଜଣାଇ ଅର୍ଥମନ୍ତ୍ରୀ ମଧ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ଘୋଷଣା କରିଛନ୍ତି। ଏକ ନଈ ନାଳ ଘେରା ଅଞ୍ଚଳରୁ ଆସି ପର୍ବତାରୋହଣ ସ୍ୱପ୍ନ ଦେଖିଥିବାରୁ ନୃସିଂହଙ୍କ ପ୍ରୟାସକୁ ମଧ୍ୟ ମନ୍ତ୍ରୀ ପ୍ରଶଂସା କରିଥିଲେ। ଓଡ଼ିଶାରେ ଦୁଃସାହସିକ କ୍ରୀଡ଼ାର ପ୍ରସାର ତଥା ଯୁବପିଢ଼ିଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ ବୋଲି କହିଛନ୍ତି ନୃସିଂହ। ଜମ୍ମୁ କଶ୍ମୀର କାରଗିଲ୍ସ୍ଥିତ ଜଁସକର ରେଞ୍ଜ୍ରେ ଅବସ୍ଥିତ ମାଉଣ୍ଟ୍ କୁନ୍ ଦେଶର ଅନ୍ୟତମ ଶ୍ରେଷ୍ଠ ବୈଷୟିକ ପର୍ବତ ହୋଇଥିବାରୁ ଏହା ଆରୋହଣ କରିବା ଏତେ ସହଜ ହୋଇନଥାଏ। ୭୦୭୭ ମିଟର୍ ତଥା ୨୩୨୧୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ପର୍ବତକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଏକ ୧୫ ଜଣିଆ ଦଳ ଆରୋହଣ ଅଭିଯାନରେ ଯାଉଛନ୍ତି। ନୃସିଂହ ଏକମାତ୍ର ଓଡ଼ିଆ ଭାବେ ଏଥିରେ ସାମିଲ ଅଛନ୍ତି। ମୁରାଦନଗରସ୍ଥିତ କାଞ୍ଚନଜଙ୍ଗା ଟ୍ରେକର୍ସ କ୍ଲବ୍ ଅର୍ଡାନ୍ସ ଫ୍ୟାକ୍ଟି୍ର ପକ୍ଷରୁ ଏହି ଅଭିଯାନ ୧୯ ଜୁନ୍ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଛି। ସୂଚନାଯୋଗ୍ୟ, ନୃସିଂହ ପୂର୍ବରୁ ଗତବର୍ଷ ପ୍ରଥମେ କିଲିମାଞ୍ଜାରୋ (୫,୮୯୫ ମିଟର୍), ଷ୍ଟକ୍ କାଙ୍ଗ୍ରୀ (୬,୧୫୩ ମିଟର୍) ଆରୋହଣ କରିବା ପରେ ରୁଷିଆର ମାଉଣ୍ଟ୍ ଏଲ୍ବ୍ରସ୍ (୫,୬୪୨ ମିଟର୍) ଚଢ଼ିବାରେ ସକ୍ଷମ ହୋଇଥିଲେ। ଏହି ଅଭିଜ୍ଞତା ଆଧାରରେ ସେ ଚଳିତ ବର୍ଷର ମାଉଣ୍ଟ୍ କୁନ୍କୁ ପ୍ରି-ଏଭେରେଷ୍ଟ୍ ଅଭିଯାନରେ ସାମିଲ କରିଛନ୍ତି।
ଦୁର୍ଘଟଣାରୁ ଦୃଢ଼ୋକ୍ତି
ନୃସିଂହଙ୍କ ଦୁଃସାହସିକ ଯାତ୍ରା ମାତ୍ର ୪ ବର୍ଷର। କିନ୍ତୁ ଏହା ବେଶ ନାଟକୀୟ। ‘ଚାରି ବର୍ଷ ତଳେ ମୁଁ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି। ଗୋଡ଼ରେ ଗୁରୁତ୍ତର ଆଘାତ ଲାଗିଥିଲା। ଏଥି ପାଇଁ ଫିଜିଓଥେରାପି କରିବା ସଂଧାନରେ ବାହାରିଥିଲି। ଶେଷକୁ ହିମାଳୟାନ ପ୍ରତିଷ୍ଠାନରେ ସାମିଲ ହୋଇ ଶାରୀରିକ ସକ୍ଷମ ହେବା ସହିତ ଦୁଃସାହସିକ କ୍ରୀଡ଼ା ପ୍ରତି ଥିବା ରୁଚିକୁ ସାକାର କରିପାରିଛି’ ବୋଲି ନୃସିଂହ ପ୍ରକାଶ କରିଥିଲେ। ମୁଁ ଆସନ୍ତା ବର୍ଷ ଏପ୍ରିଲ୍ରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍ ଏଭେରେଷ୍ଟ୍ ଯୋଜନାରେ ରହିଛି ବୋଲି ମଧ୍ୟ ଏହି ଅବସରରେ ନୃସିଂହ ‘ସମ୍ବାଦ’କୁ କହିଥିଲେ। ଏଥି ପାଇଁ ମୁଁ ପ୍ରସ୍ତୁତି କରିବା ସହିତ ପ୍ରାୟୋଜକଙ୍କ ଦ୍ୱାରସ୍ଥ ହେବାରେ ଲାଗିଛି। ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୋତେ ଆତ୍ମବିଶ୍ୱାସ ଦେଇଛି ବୋଲି ସେ ପ୍ରକାଶ କରିଥିଲେ।