ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତଥା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳର ମାଲିକ ମୁକେଶ ଅମ୍ବାନି ବିଶ୍ବର ସବୁଠାରୁ ଧନୀ କ୍ରୀଡ଼ା ଦଳ ମାଲିକ ହୋଇଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୦ ବିଲିଅନ୍ ଡଲାର ବା ପାଖାପାଖି ୩,୫୦, ୦୦୦ କୋଟି ଟଙ୍କା । ଯାହା ଗତ ଏକବର୍ଷ ମଧ୍ୟରେ ୧୦ ବିଲିଅନ୍ ବଢ଼ିଛି। ବିଶ୍ବର ବିଭିନ୍ନ କ୍ରୀଡ଼ା ଲିଗ୍ରେ ମୋଟ ୫୮ ଜଣ ବିଲିଅନିୟୋର ବା ଅରବପତି ରହିଛନ୍ତି। ସେମାନେ ମିଳିତ ଭାବେ ୭୦ କ୍ରୀଡ଼ା ଦଳର ମାଲିକ। ସେମାନଙ୍କ ମୋଟ ସମ୍ପତ୍ତିର ପରିମାଣ ୩୫୯ ବିଲିଅନ ଡଲାର। ଯାହା ଭାରତର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରଠାରୁ ମାତ୍ର ୪୦ରୁ ୫୦ ବିଲିଅନ୍ ଡଲାର କମ୍। ଆମେରିକୀୟ ବାସ୍କେଟବଲ୍ ଲିଗ୍ (ଏନ୍ବିଏ)ର ଲସ୍ ଏଞ୍ଜେଲ୍ସ କ୍ଲିପର୍ସ ଦଳର ମାଲିକ ଷ୍ଟିଭ୍ ବାଲମର ଏହି କ୍ରମରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ କିନ୍ତୁ ସବୁଠାରୁ ଧନୀ ଆମେରିକୀୟ କ୍ରୀଡ଼ା ଦଳ ମାଲିକ ହୋଇଛନ୍ତି। ଗତ ୧୨ ମାସ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୭ ପ୍ରତିଶତ ବଢ଼ି ୪୧.୨ ବିଲିଅନ ଡଲାରରେ ପହଞ୍ଚିଛି। ୨୦୧୪ ମସିହାରେ ବାଲମର ପ୍ରତିଷ୍ଠିତ ସଫ୍ଟୱୟାର କଂପାନି ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅବସର ଗ୍ରହଣ କରିଥିଲେ। ସେହିବର୍ଷ ସେ ଲସଏଞ୍ଜେଲ୍ସ କ୍ଲିପର୍ସ ଦଳକୁ କିଣିଥିଲେ। ରେଡ୍ ବୁଲ୍ ଫର୍ମୁଲା ୱାନ୍ ଦଳର ମାଲିକ ଡେଟ୍ରିଚ୍ ମାଲେସ୍କିଜ୍ (୧୮.୯ ବିଲିଅନ ଡଲାର) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରେଡ୍ ବୁଲ୍ ବ୍ରାଣ୍ଡରେ ସେ ଏକାଧିକ କ୍ରୀଡ଼ା ଦଳର ମାଲିକ ଅଛନ୍ତି। ସେହିଭଳି ଆମେରିକାର ଆଇସ୍ ହକି ଲିଗ୍ ଏନ୍ଏଚ୍ଏଲ୍ ଦଳ ସାନ୍ ଜୋସ୍ ସାର୍କସ୍’ର ମାଲିକ ହାସୋ ପ୍ଲାଟନର (୧୩.୫ ବିଲିଅନ ଡଲାର) ଏବଂ ଇଂଲିସ୍ ଫୁଟବଲ୍ ଲିଗ୍ ଦଳ ଚେଲ୍ସି’ର ମାଲିକ ରୋମାନ ଆବ୍ରାମୋଭିକ (୧୨.୪ ବିଲିଅନ ଡଲାର) ଏହି ନିଆରା ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଡେଭିଡ୍ ଟେପର (ଆମେରିକୀୟ ଫୁଟବଲ୍ ଲିଗ୍ ଦଳ କାରୋଲିନା ପାନ୍ଥର୍ସ, ୧୧.୬ ବିଲିଅନ ଡଲାର), ଫିଲିପ ଆନସ୍କଜ୍ (ଆମେରିକୀୟ ଆଇସ୍ ହକି ଦଳ ଲସ୍ଏଞ୍ଜେଲ୍ସ କିଙ୍ଗ୍ସ, ୧୦.୯ ବିଲିଅନ ଡଲାର), ମିଖାଇଲ ପ୍ରୋଖୋରୋଭ (ଆମେରିକୀୟ ବାସ୍କେଟବଲ୍ ଲିଗ୍ ଦଳ ବ୍ରୁକଲିନ୍ ନେଟ୍ସ, ୯.୮ ବିଲିଅନ ଡଲାର), ମିକି ଆରିସନ୍ (ଆମେରିକୀୟ ବାସ୍କେଟବଲ୍ ଲିଗ ଦଳ ମିଆମି ହିଟ୍, ୮.୯ ବିଲିଅନ ଡଲାର), ଷ୍ଟାନଲି କ୍ରୋଏଙ୍କେ (ଆମେରିକୀୟ ଫୁଟବଲ୍ ଲିଗ୍ ଦଳ ଲସ୍ଏଞ୍ଜେଲ୍ସ ରାମ୍ସ, ଆର୍ସେନାଲ, କଲୋରାଡୋ ରୢାପିଡ୍ସ, ୮.୭ ବିଲିଅନ ଡଲାର) ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନରେ ରହିଛନ୍ତି।
ମୁକେଶ ଅମ୍ବାନି ସବୁଠୁ ଧନୀ କ୍ରୀଡ଼ା ଦଳ ମାଲିକ
/sambad/media/post_attachments/wp-content/uploads/2019/03/MukeshAmbani-46649186_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)