ସୁନୀଲ ଗାଭାସ୍କର: ମୁମ୍ବାଇ ବୋଲର୍‌ ସଂଘର୍ଷ କରୁଛନ୍ତି

ମୁମ୍ବାଇରେ ଯେତେବେଳେ ସନ୍‌ ରାଇଜର୍ସ ଏବଂ ମୁମ୍ବାଇ ଇଣ୍ଡିଆନସ ମୁକାବିଲା କରିବେ ସେତେବେଳେ ବିଜୟ ଧାରାକୁ ଫେରିବାକୁ ଚାହିଁବେ। ଉଭୟ ନିଜ ନିଜର ଶେଷ ମ୍ୟାଚ୍‌କୁ ଅଳ୍ପରେ ହାରିଛନ୍ତି। ଟେ୍ଵଣ୍ଟି-୨୦ରେ ଏଭଳି ହାରିବା ବଡ଼ କଥା ନ ଥିଲେ ବି କୌଣସି ଦଳ ପାଇଁ ଏହା ନିୟମିତ ଘଟିଲେ କିଛି ଭୁଲ ଥିବା ଧରିବାକୁ ହେବ। ରବିବାର ଶିଖର ଧାଓ୍ଵନଙ୍କୁ ହରାଇବା ଫଳରେ ହାଇଦ୍ରାବାଦ ପଙ୍ଗୁ ପାଲଟିଯାଇଥିଲା। ଏହି ବାମହାତୀ ଖେଳାଳି ଦଳକୁ ଉଡ଼ନ୍ତା ଆରମ୍ଭ ଦେଉଥିଲେ, ପାଳିର ଗୁରୁତ୍ୱପୂର୍ଣ୍ଣ ଭାଗ ପର୍ଯ୍ୟନ୍ତ ମଧ୍ୟ ବ୍ୟାଟିଂ କରୁଥିଲେ। ଦଳର ଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଲୟକୁ ଜାରି ରଖୁଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷରେ ଏକ ଚମତ୍କାର ପାଳି ଖେଳିଥିଲେ କିନ୍ତୁ ଅନ୍ୟମାନଙ୍କଠାରୁ ସମର୍ଥନ ପାଇନଥିଲେ। ଦଳ ପାଇଁ ସମସ୍ୟା ହେଉଛି ଜଣେ ଖେଳାଳି ଗୋଟିଏ ଚମତ୍କାରିତା ବଳରେ ପରବର୍ତୀ ଋତୁ ପର୍ଯ୍ୟନ୍ତ ରହୁଛନ୍ତି। ଦଳର ବରିଷ୍ଠ ଖେଳାଳିମାନେ ଦଳକୁ ସବୁବେଳେ ବିପଦରୁ ବାହାର କରିବେ ଏହା ସମ୍ଭବ ନୁହେଁ। ଡେଭିଡ୍‌ ଓ୍ଵାର୍ନରଙ୍କ ଅନୁପସ୍ଥିତିରେ ଶିଖର ଧାଓ୍ଵନ ଏବଂ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଉପରେ ମାତ୍ରାଧିକ ଚାପ ରହୁଛି। ମନୀଷ ପାଣ୍ଡେ ଭଲ ଷ୍ଟ୍ରାଇକ୍‌ ରେଟ୍‌ର ଖେଳାଳି ହୋଇଥିବାରୁ ଦଳ ଉପରୁ ଚାପ କମାଇ ପାରନ୍ତେ। ସେ କିନ୍ତୁ ଏ ପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି।

ମୁମ୍ବାଇ ଇଣ୍ଡିଆନ୍‌ସ ସଂଘର୍ଷ କରିବାର କାରଣ ଦଳର ବୋଲରମାନେ ହିଁ ମ୍ୟାଚ୍‌ ଜିତାଇ ପାରୁନାହାନ୍ତି। ରବିବାର ଯଶପ୍ରୀତ୍‌ ବୁମରା ଦ୍ୱିତୀୟ ସ୍ପେଲ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କଲେ ଏବଂ ହାର୍ଦିକ ପାଣ୍ଡ୍ୟା ଶେଷ ଓଭରରେ ଓ୍ଵିକେଟ୍‌ ବାହାର କରି ମ୍ୟାଚରେ ମୋଡ଼ ଭରିଥିଲେ। କିନ୍ତୁ କ୍ରିଷ୍ଣାପ୍ପା ଗୌତମଙ୍କ ପାଳି ଫରକ ପକାଇ ଦେଲା। ୟୁବ ତାରକା ମୟଙ୍କ ମାର୍କଣ୍ଡ ଭଲ ବୋଲିଂ କରୁଛନ୍ତି। କିନ୍ତୁ ଅନ୍ୟ ଦଳଗୁଡ଼ିକ ତାଙ୍କ ବୋଲିଂକୁ ଅନୁଧ୍ୟାନ କରୁଥିବାରୁ ପ୍ରଥମ କିଛି ମ୍ୟାଚ୍‌ ଭଳି ସେ ଆଉ ପ୍ରଭାବୀ ରହୁ ନାହାନ୍ତି। କିନ୍ତୁ ଅଭିଜ୍ଞତା ଅର୍ଜନ କରିବା ପରେ ତାଙ୍କ ଭବିଷ୍ୟତ ନିଶ୍ଚିତ ଉଜ୍ୱଳ। ମୁମ୍ବାଇ ବ୍ୟାଟିଂରେ ଶୀର୍ଷ ୩ ଜଣ ଭଲ କରୁଥିଲେ ମଧ୍ୟ ମୁଣ୍ଡିମରାଳି ବ୍ୟାଟ୍‌ସମ୍ୟାନ୍‌ ସଫଳ ହେଉନାହାନ୍ତି। ଏହି କାରଣରୁ ଦଳ ପ୍ରତି ଥର ୨୦ ରନ୍‌ ପାଖାପାଖି କମ୍‌ କରୁଛି। ଦଳର ଗୁରୁ ସଚିନ ତେନ୍ଦୁଲକର ମଙ୍ଗଳବାର ତାଙ୍କ ୪୫ତମ ଜନ୍ମଦିନ ପାଳୁଥିବାରୁ ମୁମ୍ବାଇ ଇଣ୍ଡିଆନସ ଏହି କ୍ରିକେଟ୍‌ କିମ୍ବଦନ୍ତୀଙ୍କୁ ବିଜୟ ଭେଟି ଦେବ ବୋଲି ଆଶା ରଖିବା। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର