ମୁମ୍ବାଇରେ ଜନ୍ମିତ ଇଞ୍ଜିନିୟର୍‌ ଏବେ ଆମେରିକା କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳ ଛାଡ଼ି କମ୍ପ୍ୟୁଟର୍‌ ସାଇନ୍‌ସ୍‌ ପଢ଼ିବାକୁ କର୍ଣ୍ଣେଓ୍ଵଲ୍‌ ୟୁନିଭର୍ସିଟିକୁ ଯାଇ ଥିବା ପୂର୍ବତନ ମୁମ୍ବାଇ ମିଡିୟମ୍‌ ପେସର୍‌ ୨୭ ବର୍ଷିୟ ସୌରଭ ନେତ୍ରାଓ୍ଵାଲ୍‌କର ଏବେ ଯୁକ୍ତରାଷ୍ଟ୍ର ଆମେରିକା ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ।

୨୦୧୦ରେ ଅନୁଷ୍ଠିତ ୟୁ-ନାଇଣ୍ଟିନ୍‌ ଓ୍ଵାର୍ଲଡ୍‌ କପ୍‌ ଅଭିଯାନରେ ଏହି ଛଅ ଫୁଟ୍‌ ଡେଙ୍ଗା ବାମହାତୀ ସିମର୍‌ ଭାରତ ତରଫରୁ ସର୍ବାଧିକ ଉଇକେଟ୍‌ ଅକ୍ତିଆର କରିଥିଲେ। ସେ ଅକ୍ତିଆର କରିଥିବା ଓ୍ଵିକେଟ୍‌ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଇଂଲଣ୍ଡର ଭବିଷ୍ୟତ କ୍ୟାପ୍‌ଟେନ୍‌ ଜୋ ରୁଟ୍‌ ଏବଂ ପାକିସ୍ତାନର ଓପେନର୍‌ ଅହମଦ୍‌ ଶେଝାଦ୍‌। ଏହାର ତିନି ବର୍ଷ ପରେ ନେତ୍ରାଓ୍ଵାଲ୍‌କର୍‌ ମୁମ୍ବାଇ ତରଫରୁ କର୍ଣ୍ଣାଟକ ବିରୋଧରେ ରଣଜୀ ଟ୍ରଫି ଖେଳି ତିନିଟି ଉଇକେଟ୍‌ ଅକ୍ତିଆର କରିଥିଲେ।

କିନ୍ତୁ କ୍ରିକେଟ୍‌ରେ ନିଜର ଭବିଷ୍ୟତ ସମ୍ପର୍କରେ ସନ୍ତୁଷ୍ଟ ନ ଥିଲେ ନେତ୍ରାଓ୍ଵାଲ୍‌କର୍‌। ମୁମ୍ବାଇର ସର୍ଦାର ପଟେଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜିରୁ ଇଞ୍ଜିନିୟରିଙ୍ଗ୍‌ରେ ସ୍ନାତକ ହାସଲ କରି ସେ ଜିଆର୍‌ଇ ଏବଂ ଟିଓଇଏଫ୍‌ଏଲ୍‌ ପରୀକ୍ଷା ଦେଇ ସ୍ନାତକୋତ୍ତର କରିବାକୁ ୨୦୧୫ରେ କର୍ଣ୍ଣେଓ୍ଵଲ୍‌ ଯାଇଥିଲେ। ସେଠାରେ ସେ କ୍ରିକେଟ୍‌ର ପୁନଃଆବିଷ୍କାର କରି ନୂଆ ଇନିଙ୍ଗ୍‌ସ୍‌ ଆରମ୍ଭ କଲେ।

ଓରାକ୍ଲ୍‌ରେ ସଫ୍‌େଓ୍ଵର୍‌ ଇଞ୍ଜିନିୟର ଭାବେ ଯୋଗ ଦେଇ ନେତ୍ରାଓ୍ଵାଲ୍‌କର୍‌ କ୍ରିକେଟ୍‌ ଖେଳିବାକୁ ସପ୍ତାହନ୍ତରେ ଛଅ ଘଣ୍ଟା ଗାଡ଼ି ଚଳାଇ ସାନ୍‌ ଫ୍ରାନ୍‌ସିସ୍‌କୋ ରୁ ଲସ୍‌ ଏଞ୍ଜେଲେସ୍‌ ଯାଉଥିଲେ। ସେଠାରେ ସେ ଶନିବାର ଦିନ ୫୦ ଓଭର୍‌ ଗେମ୍‌ ଖେଳନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ୍‌ ଖେଳର ଜନପ୍ରିୟତା ଦ୍ରୁତ ବେଗରେ ବଢ଼ି ଚାଲିଛି। ଆସନ୍ତା ସପ୍ତାହରେ ଆମେରିକୀୟ କ୍ରିକେଟ୍‌ ଟିମ୍‌ ଓମାନ୍‌ ଗସ୍ତରେ ଯିବ।

ସମ୍ବନ୍ଧିତ ଖବର