ମୁମ୍ବାଇ ପରାଜୟ ଧାରା ଭାଙ୍ଗିଲା

ପୁନେ: ଚଳିତ ଆଇପିଏଲ୍‌ରେ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ଫେରିଛି। ୬ ମ୍ୟାଚ୍‌ରୁ ୫ ପରାଜୟ ବରଣ କରି ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ଆଶଙ୍କାରେ ଥିବା ମୁମ୍ବାଇ ଶନିବାର ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୮ ଓ୍ଵିକେଟ୍‌ରେ ହରାଇ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ଚେନ୍ନାଇ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ମୁମ୍ବାଇ ଏହାକୁ ୧୯.୪ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ (୪୪ ରନ୍‌, ୩୪ ବଲ୍‌, ୫ ଚୌକା, ୧ ଛକା) ଓ ଏଭିନ ଲୁଇସ୍‌ (୪୭ ରନ୍‌, ୪୩ ବଲ୍‌, ୩ ଚୌକା, ୨ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ଅଧିନାୟକ ରୋହିତ ଶର୍ମା (୫୬* ରନ୍‌, ୩୩ ବଲ୍‌, ୬ ଚୌକା, ୨ ଛକା) ହିଁ ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

ଶେଷ ଦୁଇ ଓଭରରୁ ମୁମ୍ବାଇକୁ ବିଜୟ ପାଇଁ ୨୨ ରନ୍‌ର ଦରକାର ଥିଲା। ସାର୍ଦୁଲ ଠାକୁର ବୋଲିଂ କରୁଥିବା ଊନ୍ନବିଂଶ ଓଭରରେ ଚାରିଟି ଚୌକା ମାରି ରୋହିତ ଅର୍ଧଶତକ ପୂରଣ କରିବା ସହ ମୁମ୍ବାଇ ବିଜୟକୁ ପକ୍କା କରି ଦେଇଥିଲେ। ପରେ ଇମ୍ରାନ ତାହିରଙ୍କ ଶେଷ ଓଭରର ଚତୁର୍ଥ ବଲ୍‌ରୁ ଗୋଟିଏ ରନ୍‌ ନେଇ ହାର୍ଦିକ ପାଣ୍ଡ୍ୟା (୧୩* ରନ୍‌, ୮ ବଲ୍‌, ୧ ଛକା) ଏଥିରେ ମୁଣ୍ଡି ମାରିଥିଲେ। ମୁମ୍ବାଇରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମୁକାବିଲାରେ ଚେନ୍ନାଇ ୧ ଓ୍ଵିକେଟ୍‌ରେ ମୁମ୍ବାଇକୁ ହରାଇଥିଲା। ଚେନ୍ନାଇର ନୂଆ ଘର ପୁନେରେ ଆୟୋଜିତ ପାଲଟା ମୁକାବିଲାକୁ ସହଜରେ ଜିତି ମୁମ୍ବାଇ ଏହାର ମଧୁର ପ୍ରତିଶୋଧ ନେଇଗଲା। ମୁମ୍ବାଇ ସପ୍ତମ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ପାଇଥିଲା ବେଳେ ଚେନ୍ନାଇ ଦ୍ୱିତୀୟ ପରାଜୟ ବରଣ କରିଥିଲା। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ସୁରେଶ ରାଇନା (୭୫* ରନ୍‌, ୪୭ ବଲ୍‌, ୬ ଚୌକା, ୪ ଛକା)ଙ୍କ ଚିତ୍ତାକର୍ଷକ ଅର୍ଧଶତକ ସତ୍ତ୍ୱେ ୨୦୦ ରନ୍‌ ଛୁଇଁ ପାରି ନଥିଲା। ରାଇନାଙ୍କ ସହ ଅମ୍ବାତି ରାୟୁଡୁ (୪୬ ରନ୍‌, ୩୫ ବଲ୍‌, ୨ ଚୌକା, ୪ ଛକା) ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୬ ରନ୍‌, ୨୧ ବଲ୍‌, ୩ ଚୌକା, ୧ ଛକା) ମଧ୍ୟ ଭଲ ଖେଳିଥିଲେ। ହେଲେ ମୁମ୍ବାଇ ବୋଲରମାନେ ଠିକଣା ସମୟରେ ଏବଂ ନିୟମିତ ଓ୍ଵିକେଟ୍‌ ନେଇ ଚେନ୍ନାଇକୁ ୧୬୯/୫ରେ ଅଟକାଇ ଦେଇଥିଲେ। ମିଚେଲ ମ୍ୟାକ୍ଲିନାଘନ ଅଷ୍ଟାଦଶ ଓଭରରେ ଧୋନି ଏବଂ ଡେ୍ଵନ୍‌ ବ୍ରାଭୋଙ୍କୁ ଆଉଟ୍‌ କରିଦେବା ପରେ ହିଁ ଚେନ୍ନାଇ ଶେଷ ୩ ଓଭରରେ ଯେତିକି ରନ୍‌ କରିବାକୁ ଲକ୍ଷ୍ୟ ରଖିଥିଲା ସେତିକି କରି ପାରି ନଥିଲା। ଶେଷ ୫ ଓଭରରେ ମଧ୍ୟ ରାଇନା ଅପେକ୍ଷାକୃତ ମନ୍ଥର ବ୍ୟାଟିଂ କରିଥିଲେ। ବ୍ୟକ୍ତିଗତ ଭାବେ ସେ ୧୪ ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୧୭ ରନ୍‌ କରିଥିଲେ। ତେବେ ପ୍ରଥମେ ପ୍ରଥମେ ବିସ୍ଫୋରକ ବ୍ୟାଟିଂ କରିଥିବା ରାଇନା ମାତ୍ର ୩୫ ବଲ୍‌ରୁ ଶନିବାର ଚଳିତ ଆଇପିଏଲ୍‌ରେ ନିଜର ପ୍ରଥମ ଅର୍ଧଶତକ ଅର୍ଜନ କରିଥିଲେ। ଦଳଗତ ଭାବେ ଶେଷ ୫ ଓଭରରେ ଚେନ୍ନାଇ ମାତ୍ର ୩୮ ରନ୍‌ କରି ପାରିଥିଲା।
ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୬୯/୫ (ସୁରେଶ ରାଇନା ୭୫*, ଅମ୍ବାତି ରାୟୁଡୁ ୪୬, ମହେନ୍ଦ୍ର ସିଂହ ଧୋନି ୨୬, ମିଚେଲ ମ୍ୟାକ୍ଲିନାଘନ ୨/୨୬, ହାର୍ଦିକ ପାଣ୍ଡ୍ୟା ୨/୩୨)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୪ ଓଭରରେ ୧୭୦/୨ (ରୋହିତ ଶର୍ମା ୫୬*, ଏଭିନ ଲୁଇସ୍‌ ୪୭, ସୂର୍ଯ୍ୟକୁମାର ଯାଦବ ୪୪, ହାର୍ଦିକ ପାଣ୍ଡ୍ୟା ୧୩*, ହରଭଜନ ସିଂହ ୧/୨୦, ଡେ୍ଵନ୍‌ ବ୍ରାଭୋ ୧/୨୧)।

ସମ୍ବନ୍ଧିତ ଖବର