ଆଇପିଏଲ୍‌-୧୧: ମୁମ୍ବାଇର ଲଗାତାର ବିଜୟ

ମୁମ୍ବାଇ: ପ୍ରଥମ ୬ ମ୍ୟାଚ୍‌ରୁ ଗୋଟିଏ ବିଜୟ ହାସଲ କରିଥିବା ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଏବେ ଗତ ୪ ମ୍ୟାଚ୍‌ରୁ ୩ ଜିତି ପ୍ଲେ ଅଫ୍‌ ଆଶାକୁ କାଏମ ରଖିଛି। ରବିବାର ଆଇପିଏଲ୍‌-୧୧ର ୩୭ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଦଳ ୧୩ ରନ୍‌ରେ ରୋମାଞ୍ଚକ ଭାବେ ଦୁଇ ଥର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ ମୁମ୍ବାଇ ଦଶମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ କୋଲ୍‌କାତା ସମାନ ୧୦ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ଆଶା ଓ ଆଶଙ୍କାରେ ରହିଛି। ରବିବାର ୨୦ ବଲ୍‌ରୁ ୩୫* ରନ୍‌ ସଂଗ୍ରହ କରିବା ପରେ ୪ ଓଭର ବୋଲିଂରେ ମାତ୍ର ୧୯ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେଇଥିବା ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ମୁମ୍ବାଇ ଇଣ୍ଡିଆନ୍‌ସ ୪ ଓ୍ଵିକେଟ୍‌ ବିନିମୟରେ ୧୮୧ ରନ୍‌ କରିଥିଲା। ପ୍ରଥମ ଓ୍ଵିକେଟ୍‌ ଭାଗୀଦାରିରେ ସୂର୍ଯ୍ୟକୁମାର ଯାଦବ ଏବଂ ଏଭିନ୍‌ ଲୁଇସ୍‌ ୯.୨ ଓଭରରେ ୯୧ ରନ୍‌ ଉଠାଇଥିଲେ। ଲୁଇସ୍‌ (୪୩, ୨୮ ବଲ୍‌, ୫ ଚୌକା, ୨ ଛକା)ଙ୍କୁ ତାଙ୍କ େଓ୍ଵଷ୍ଟଇଣ୍ଡିଜ୍‌ ସାଥୀ ଆନ୍ଦ୍ରେ ରସେଲ୍‌ ଆଉଟ୍‌ କରିଦେବା ପରେ ଅଧିନାୟକ ରୋହିତ ଶର୍ମା (୧୧ ରନ୍‌, ୧୧ ବଲ) ସୁନିଲ ନରିନଙ୍କ ଶିକାର ହୋଇଯାଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ (୫୯, ୩୯ ବଲ୍‌, ୭ ଚୌକା, ୨ ଛକା)ଙ୍କୁ ରସେଲ୍‌ ଓ୍ଵିକେଟ୍‌ରକ୍ଷକ ଦୀନେଶ କାର୍ତିକଙ୍କ ଗ୍ଳୋଭ୍‌ସରେ ଧରାଇ ନିଜର ଦ୍ୱିତୀୟ ଓ୍ଵିକେଟ୍‌ ପାଇଥିଲେ। ଏହା ପରେ ପାଣ୍ଡ୍ୟା ଭାଇଙ୍କ କରିସ୍ମା ଦେଖିବାକୁ ମିଳିଥିଲା। ହାର୍ଦିକ ପାଣ୍ଡ୍ୟା (୩୫*, ୨୦ ବଲ୍‌, ୪ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ବଡ଼ ଭାଇ କୃନାଲ (୧୪, ୧୧ ବଲ୍‌, ୧ ଚୌକା, ୧ ଛକା) ବିଶେଷ ଆଗକୁ ବଢ଼ିପାରିନଥିଲେ। ହାର୍ଦିକଙ୍କ ସହିତ ଦକ୍ଷିଣ ଆଫ୍ରିକୀୟ ତାରକା ଜେପି ଡୁମିନି (୧୩*, ୧୧ ବଲ୍‌, ୧ ଛକା) ପାଳି ଶେଷ କରିଥିଲେ। ପ୍ରଥମ ୧୦ ଓଭରରେ ମୁମ୍ବାଇ ୯୫ ରନ୍‌ କରିଥିଲେ ମଧ୍ୟ ଶେଷ ୧୦ ଓଭରରେ ସେଭଳି ପ୍ରଭାବୀ ରହିନଥିଲା। ମଧ୍ୟକ୍ରମ (୧୧ରୁ ୧୫ ଓଭର)ରେ ମାତ୍ର ୩୭ ରନ୍‌ ସଂଗ୍ରହ କରିବା ହିଁ ଦଳକୁ ସମ୍ଭାବ୍ୟ ୨୦୦ ପୂର୍ବରୁ ରୋକିଥିଲା। ଦୁଇ େଓ୍ଵଷ୍ଟଇଣ୍ଡିଆନ୍‌ ତାରକା ରସେଲ ଓ ନରିନ୍‌ ୨-୨ ଓ୍ଵିକେଟ୍‌ ନେଇଥିଲେ। ଅନ୍ୟ ୫ ବୋଲର୍‌ ଓ୍ଵିକେଟଶୂନ୍ୟ ରହିଥିଲେ।

୧୮୨ ରନ୍‌ ବିଜୟ ଲକ୍ଷ୍ୟରେ ଓ୍ଵାଙ୍ଖ୍‌ଡେକୁ ଓହ୍ଲାଇଥିବା କୋଲ୍‌କାତାକୁ ପ୍ରାରମ୍ଭିକ ଯୋଡ଼ି କ୍ରିସ୍‌ ଲିନ୍‌ (୧୭, ୧୩ ବଲ୍‌, ୪ ଚୌକା) ଏବଂ ଶୁଭମନ ଗିଲ୍‌ (୭, ୫ ବଲ୍‌, ୧ ଚୌକା) ନିରାଶ କରିଥିଲେ। ଏହା ପରେ କିନ୍ତୁ ରବିନ୍‌ ଉଥପ୍ପା (୫୪, ୩୫ ବଲ୍‌, ୬ ଚୌକା, ୩ ଛକା) ଏବଂ ନୀତିଶ ରାଣା (୩୧, ୨୭ ବଲ୍‌, ୩ ଚୌକା, ୧ ଛକା) ଦଳର ସୁଯୋଗକୁ କାଏମ ରଖିଥିଲେ। ହାର୍ଦିକ ପାଣ୍ଡ୍ୟା କିନ୍ତୁ ବ୍ୟାଟିଂ ପରେ ବୋଲିଂ କମାଲ୍‌ କରି କୋଲ୍‌କାତା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଦୁଇ ଭାରତୀୟ ତାରକା ଶୁଭମନ ଗିଲ୍‌ ଏବଂ ନୀତିଶ ରାଣାଙ୍କ ଓ୍ଵିକେଟ୍‌ ବାହାର କରିବା ନିର୍ଣ୍ଣାୟକ ହୋଇଥିଲା। ନିମ୍ନକ୍ରମରେ ଆସିଥିବା ସୁନୀଲ ନରିନ୍‌ (୫*, ୪ ବଲ୍‌, ୧ ଚୌକା) କୃନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ। ଶେଷ ୨ ଓଭରରୁ ୩୭ ରନ୍‌ ଆବଶ୍ୟକ ପଡ଼ିଥିବା ବେଳେ ଦୀନେଶ କାର୍ତିକ (୩୬*, ୨୬ ବଲ୍‌, ୫ ଚୌକା, ୧ ଛକା) ତାଙ୍କ ଶ୍ରେଷ୍ଠ ପ୍ରୟାସ କରି ନିଷ୍ଫଳ ରହିଥିଲେ। ଏଥି ସହିତ କୋଲ୍‌କାତା ବିଜୟଠୁ ୧୩ ରନ୍‌ ଦୂରରେ ଅଟକି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍‌ସ: ୨୦ ଓଭରରେ ୧୮୧/୪ (ସୂର୍ଯ୍ୟକୁମାର ଯାଦବ-୫୯, ଏଭିନ୍‌ ଲୁଇସ୍‌-୪୩, ହାର୍ଦିକ ପାଣ୍ଡ୍ୟା-୩୫*, ଜେପି ଡୁମିନି-୧୩*, ଆନ୍ଦ୍ରେ ରସେଲ୍‌-୨/୧୨, ସୁନିଲ ନରିନ୍‌-୨/୩୫)। କୋଲ୍‌କାତା ନାଇଟ୍‌ ରାଇଡର୍ସ: ୨୦ ଓଭରରେ ୧୬୮/୬ (ରବିନ୍‌ ଉଥପ୍ପା-୫୪, ନୀତିଶ ରାଣା-୩୧, ଦୀନେଶ କାର୍ତିକ-୩୬*, ହାର୍ଦିକ ପାଣ୍ଡ୍ୟା-୨/୧୯, କୃନାଲ ପାଣ୍ଡ୍ୟା-୧/୨୯, ମୟଙ୍କ ମାର୍କଣ୍ଡ-୧/୨୫, ମିଚେଲ୍‌ ମ୍ୟାକ୍ଲିନାଘନ-୧/୩୦, ଯଶପ୍ରୀତ୍‌ ବୁମରା-୧/୩୪)।

ସମ୍ବନ୍ଧିତ ଖବର