ପଞ୍ଚମକୁ ଲମ୍ଫ ମାରିଲା ମୁମ୍ବାଇ

ପଞ୍ଜାବକୁ ୬ ଓ୍ଵିକେଟ୍‌ରେ ହରାଇଲା

ଇନ୍ଦୋର୍‌: ଆଇପିଏଲ୍‌-୧୧ର ୩୪ତମ ମ୍ୟାଚ୍‌ରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍‌ସ ୬ ଓ୍ଵିକେଟ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବକୁ ପରାସ୍ତ କରି ଶେଷ ସ୍ଥାନରୁ ସିଧା ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ବିଜୟ ସହିତ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ କରିଛି। ଗୋଟିଏ ସପ୍ତାହର ବିରାମ ପରେ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ ନିଜର ଦ୍ୱିତୀୟାର୍ଧ ଅଭିଯାନକୁ ପରାଜୟରୁ ଆରମ୍ଭ କରିଛି। କର ବା ମର ସ୍ଥିତିରେ ଥିବା ମୁମ୍ବାଇ ୧୭୫ ରନ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଏବଂ ଏଭିନ୍‌ ଲୁଇସ୍‌ ପାଳି ଆରମ୍ଭ କରିଥିଲେ। ଲୁଇସ୍‌ (୧୦) କିନ୍ତୁ ୧୭ ବର୍ଷୀୟ ଆଫଗାନ ଅଫ୍‌ସ୍ପିନର୍‌ ମୁଜିବ୍‌ଙ୍କ ଶିକାର ହୋଇ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଯାଦବ (୫୭, ୪୨ ବଲ୍‌, ୬ ଚୌକା, ୩ ଛକା) ଆକର୍ଷଣୀୟ ପାଳି ଖେଳି ୩୪ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଆଗକୁ ବଢ଼ି ପାରିନଥିଲେ। ଈଶାନ କିଷନ (୨୫, ୧୯ ବଲ୍‌, ୩ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୨୩, ୧୩ ବଲ୍‌, ୨ ଚୌକା, ୧ ଛକା) ନିଜ ନିଜ ଚେଷ୍ଟା କରିଥିଲେ। ଶେଷ ୪ ଓଭରରେ ଦଳକୁ ୫୦ ରନ୍‌ ଆବଶ୍ୟକ ପଡ଼ିଥିଲା। ହାର୍ଦିକ ପାଣ୍ଡ୍ୟାଙ୍କୁ ପଦୋନ୍ନତି ଦେଇ ପଞ୍ଚମ ସ୍ଥାନରେ ଆସିଥିବା ଅଧିନାୟକ ରୋହିତ ଶର୍ମାଙ୍କ ଚାଲ୍‌ କାମ ଦେଇଥିଲା। କୃନାଲ ପାଣ୍ଡ୍ୟା (୩୧*, ୧୨ ବଲ୍‌, ୪ ଚୌକା, ୨ ଛକା) ଏବଂ ରୋହିତ ଶର୍ମା (୨୪*, ୧୫ ବଲ୍‌, ୧ ଚୌକା, ୨ ଛକା) ଶେଷ ୩.୩ ଓଭରରେ ୫୬* ରନ୍‌ ଯୋଡ଼ି କଷ୍ଟସାଧ୍ୟ ବିଜୟକୁ ସହଜ ରୂପରେ ଶେଷ କରିଥିଲେ। ଗୋଟିଏ ଓଭର ପୂର୍ବରୁ ମୁମ୍ବାଇ ୪ ଓ୍ଵିକେଟ୍‌ରେ ୧୭୬ ରନ୍‌ ସଂଗ୍ରହ କରି ନୂଆ ଜୀବନ ପାଇଥିଲା। ସୂର୍ଯ୍ୟ କୁମାର ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୂର୍ବରୁ ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ପଞ୍ଜାବ କିନ୍ତୁ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଜରିଆରେ ବିସ୍ଫୋରକ ଆରମ୍ଭ କରିଥିଲା। ଅବଶ୍ୟ ଗେଲ୍‌ ତାଙ୍କ ବିସ୍ଫୋରକ ରୂପ ନେବାକୁ ସାମାନ୍ୟ ବିଳମ୍ବ କରିଥିଲେ। ରାହୁଲ ୨୦ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୪ ରନ୍‌ କରି ମୟଙ୍କ ମାର୍କଣ୍ଡଙ୍କ ଶିକାର ହୋଇଥିଲେ। ପାଓ୍ଵାର ପ୍ଲେ ୬ ଓଭର ଭିତରେ କୌଣସି ଓ୍ଵିକେଟ୍‌ ନ ହରାଇ ପଞ୍ଜାବ ୪୯ ରନ୍‌ କରିଥିଲା। ହାର୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଓଭରରେ ୩ ଚୌକା ମାରି ଗେଲ୍‌ ତାଙ୍କ ବିସ୍ଫୋରକ ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ସେ ମ୍ୟାକ୍ଲିନାଘନ୍‌ଙ୍କୁ ମାରିଥିବା ଏକ ଛକା ଷ୍ଟାଡିୟମ୍‌ ବାହାରକୁ ଚାଲିଯାଇଥିଲା। ଅତୀତରେ ମ୍ୟାକ୍ଲିନାଘନଙ୍କ ବିପକ୍ଷରେ ୨୦ ବଲ୍‌ରୁ ୧୬ ରନ୍‌ କରିଥିବା ଗେଲ୍‌ ଶୁକ୍ରବାର କିନ୍ତୁ ତାଙ୍କ ବିପକ୍ଷ ୫ ବଲ୍‌ରୁ ୧୩ ରନ୍‌ ଆଦାୟ କରି ବ୍ୟକ୍ତିଗତ ମୁକାବିଲାରେ ସଫଳ ହୋଇଥିଲେ। ଗେଲ୍‌ (୫୦, ୪୦ ବଲ୍‌, ୬ ଚୌକା, ୨ ଛକା) କିନ୍ତୁ ଅର୍ଧଶତକ ହାସଲ କରିବା ମାତ୍ରେ ଓ୍ଵିକେଟ୍‌ ହରାଇ ଦେଇଥିଲେ। ବେନ୍‌ କଟିଙ୍ଗ୍‌ଙ୍କ ବଲରେ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଏହା ପରେ ଚୂଡାନ୍ତ ଏକାଦଶକୁ ଫେରିଥିବା ଯୁବରାଜ ସିଂହ (୧୪, ୧୪ ବଲ୍‌, ୧ ଛକା) ନିରାଶ କରିଥିଲେ। କିନ୍ତୁ କରୁଣ ନାୟାର (୨୩, ୧୨ ବଲ୍‌, ୧ ଚୌକା, ୨ ଛକା), ଅକ୍ଷର ପଟେଲ୍‌ (୧୩, ୧୨ ବଲ୍‌, ୧ ଛକା), ମାର୍କସ ଷ୍ଟୋଇନିସ୍‌ (୨୯*, ୧୫ ବଲ୍‌, ୨ ଚୌକା, ୨ ଛକା) ଏବଂ ମୟଙ୍କ ଅଗ୍ରଓ୍ଵାଲ୍‌ (୧୧, ୭ ବଲ୍‌, ୧ ଛକା)ଙ୍କ ଛୋଟ ଛୋଟ ଅବଦାନ କାରଣରୁ ପଞ୍ଜାବ ବଡ଼ ସ୍କୋର୍‌ କରିଥିଲା। ବିଶେଷ କରି ଶେଷ ଓଭରରେ ହାର୍ଦିକ ପାଣ୍ଡ୍ୟାଙ୍କୁ ନିର୍ଘାତ ପିଟି ୨୨ ରନ୍‌ ଆଦାୟ କରିବା ମୁମ୍ବାଇ ଚିନ୍ତା ବଢ଼ାଇ ଦେଇଥିଲା। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍‌ ମାର୍କସ ଷ୍ଟୋଇନିସ୍‌ ୨ ଛକା ଓ ୨ ଚୌକା ମାରି ପାଣ୍ଡ୍ୟାଙ୍କୁ ପାଣି ପିଆଇ ଦେଇଥିଲେ। ପଞ୍ଜାବ ୧୭୪/୬ରେ ପାଳି ଶେଷ କରିଥିଲା। ଯଶ୍‌ପ୍ରୀତ୍‌ ବୁମରା (୪-୦-୧୯-୧) ସବୁଠାରୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ: ୨୦ ଓଭରରେ ୧୭୪/୬ (କ୍ରିସ୍‌ ଗେଲ୍‌-୫୦, ଲୋକେଶ ରାହୁଲ୍‌-୨୪, କରୁଣ ନାୟାର୍‌-୨୩, ମାର୍କସ ଷ୍ଟୋଇନିସ-୨୯*, ଯଶପ୍ରୀତ୍‌ ବୁମରା-୧/୧୯, ବେନ୍‌ କଟିଙ୍ଗ୍‌-୧/୨୮, ମିଚେଲ୍‌ ମ୍ୟାକ୍ଲିନାଘନ୍‌-୧/୩୧, ହାର୍ଦିକ ପାଣ୍ଡ୍ୟା-୧/୪୪)। ମୁମ୍ବାଇ ଇଣ୍ଡିଆନ୍‌ସ: ୧୯ ଓଭରରେ ୧୭୬/୪ (ସୂର୍ଯ୍ୟକୁମାର ଯାଦବ-୫୭, ଈଶାନ କିଷନ୍‌-୨୫, ହାର୍ଦିକ ପାଣ୍ଡ୍ୟା-୨୩, କୃନାଲ ପାଣ୍ଡ୍ୟା-୩୧*, ରୋହିତ ଶର୍ମା-୨୪*, ମୁଜିବ୍‌ ଉର୍‌ ରହମାନ-୨/୩୭, ଆଣ୍ଡ୍ରିଉ ଟାଇ-୧/୩୫, ମାର୍କସ ଷ୍ଟୋଇନିସ-୧/୩୭)।

ସମ୍ବନ୍ଧିତ ଖବର