ନୂଆଦିଲ୍ଲୀ: ଆଇପିଏଲ୍-୧୧ ଲିଗ୍ ପର୍ଯ୍ୟାୟର ଶେଷ ଦୁଇ ଦିନରେ ଦୁଇଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଶନିବାର ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ୍ସ ବିଦା କରିଥିଲା। ରବିବାର ପଏଣ୍ଟ୍ ତାଲିକାର ଶେଷ ସ୍ଥାନରେ ଥିବା ଦିଲ୍ଲୀ ଡେୟାର ଡେଭିଲ୍ସ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ବିଦାୟ ପଥ ଦେଖାଇ ଦେଇଥିଲା। ଗତ ୫ ମ୍ୟାଚ୍ରୁ ୪ ମ୍ୟାଚ୍ ଜିତି ପ୍ଲେ ଅଫ୍ର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଥିବା ମୁମ୍ବାଇ ରବିବାର ଅଷ୍ଟମ ପରାଜୟ ସହ ୧୨ ପଏଣ୍ଟ୍ରେ ତା’ର ଅଭିଯାନ ଶେଷ କରିଥିଲା। ଭଲ ରନ୍ ହାର ଥିବାରୁ ମୁମ୍ବାଇ ଏହି ମ୍ୟାଚ୍ ଜିତିଥିଲେ ରାଜସ୍ଥାନ ଏବଂ ପଞ୍ଜାବ ଆଗରେ ରହି ପ୍ଲେ ଅଫ୍ ଖେଳି ଥାଆନ୍ତା। ହେଲେ ରବିବାର ଦିଲ୍ଲୀ ଏହି ଦଳକୁ ୧୧ ରନ୍ରେ ହରାଇ ବଡ଼ ଧରଣର ଓଲଟ ପାଲଟ କରିଥିଲା। ମୁମ୍ବାଇକୁ ବିଦା କରିବା ସହ ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଥିବା ଦିଲ୍ଲୀ ଚର୍ତୁଦଶ ମ୍ୟାଚ୍ରୁ ପଞ୍ଚମ ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିଥିଲା। ସେପଟେ ଅଧିନାୟକ ରୋହିତ ଶର୍ମା (୧୩) କ୍ଷେତ୍ରରକ୍ଷଣ ବେଳେ ଆହତ ହେବା ଏବଂ ନେପାଳି ସ୍ପିନର ସନ୍ଦୀପ ଲାମିଛାନେଙ୍କୁ ଗୋଟିଏ ଓଭରରେ ଦୁଇଟି ଓ୍ଵିକେଟ୍ ଦେବା ମୁମ୍ବାଇ ପରାଜୟର ପ୍ରମୁଖ କାରଣ ହୋଇଥିଲା। ଲାମିଛାନେ ଦଶମ ଓଭରରେ କିରଣ ପୋଲାର୍ଡ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ମୁମ୍ବାଇର ରନ୍ ପିଛାକୁ ଲାଇନଚ୍ୟୁତ କରି ଦେଇଥିଲେ। ସେହିଭଳି ଦିଲ୍ଲୀର ଦକ୍ଷ ସ୍ପିନର ଅମିତ ମିଶ୍ର ମଧ୍ୟ ଘାତକ ବୋଲିଂ କରି ୩ ଓ୍ଵିକେଟ୍ ସଫଳତା ସହ ମୁମ୍ବାଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଶେଷ ଆଡ଼କୁ ଅବଶ୍ୟ ବେନ୍ କଟିଂ (୩୭ ରନ, ୨୦ ବଲ୍, ୨ ଚୌକା ୩ ଛକା) ଧମାକାଦାର ପାଳି ଖେଳି ମୁମ୍ବାଇକୁ ଆଶା ଦେଇଥିଲେ। ଅନ୍ତିମ ଓଭରରୁ ୧୮ ରନ୍ ଦରକାର ଥିଲା ବେଳେ ହର୍ଷଲ ପଟେଲଙ୍କ ପ୍ରଥମ ବଲ୍କୁ ଛକା ମାରି ସେ ଦିଲ୍ଲୀ ଶିବିରରେ ଆଲୋଡ଼ନ ସୃଷ୍ଟି କରିଥିଲେ। ହେଲେ ପରବର୍ତୀ ବଲ୍ରେ ତାଙ୍କୁ ଏବଂ ତୃତୀୟ ବଲ୍ରେ ଯସ୍ପ୍ରୀତ ବୁମ୍ରାଙ୍କୁ ବୋଲ୍ଡ କରି ହର୍ଷଲ ମୁମ୍ବାଇ ପାଳି ଶେଷ କରିଦେବା ସହ ଦିଲ୍ଲୀ ବିଜୟରେ ମୁଣ୍ଡି ମାରିଥିଲେ। ଅମିତ ମିଶ୍ର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଋଷବ ପନ୍ତ (୬୪ ରନ୍, ୪୪ ବଲ୍, ୪ ଚୌକା, ୪ ଛକା)ଙ୍କ ପଞ୍ଚମ ଅର୍ଧଶତକ ସହ ବିଜୟ ଶଙ୍କରଙ୍କ ଦ୍ରୁତ ୪୩ ରନ୍ (୩୦ ବଲ୍, ୩ ଚୌକା, ୨ ଛକା) ବଳରେ ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୪ ରନ୍ କରି ନେଇଥିଲା।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଓଭରରେ ୧୭୪/୪ (ଋଷବ ପନ୍ତ ୬୪, ବିଜୟ ଶଙ୍କର ୪୩*, ହାର୍ଦିକ ପାଣ୍ଡ୍ୟା ୧/୧୧, ମୟଙ୍କ ମାର୍କଣ୍ଡ ୧/୨୧)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୩ ଓଭରରେ ୧୬୩ (ଏଭିନ ଲୁଇସ୍ ୪୮, ବେନ୍ କଟିଂ ୩୭, ଅମିତ ମିଶ୍ର ୩/୧୯, ହର୍ଷଲ ପଟେଲ ୩/୨୮, ସନ୍ଦୀପ ଲାମିଚାନେ ୩/୩୬।