ଆଇପିଏଲ୍‌: ବେଙ୍ଗାଲୁରୁକୁ ୫ ଓ୍ଵିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୧ତମ ମୁକାବିଲାରେ ବେଙ୍ଗାଲୁରୁକୁ ୫ ଓ୍ଵିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ୱିତୀୟ ପାଳିରେ ୧୭୨ ରନ୍‌ର ପିଛାକରି ମୁମ୍ବାଇ ୧୯ ଓଭରରେ ୫ ଓ୍ଵିକେଟ ହରାଇ ଏହି ଲକ୍ଷ୍ୟକୁ ପୁରା କରିଛି । ମୁମ୍ବାଇ ପକ୍ଷରୁ ଡି କକ୍‌ ୪୦ ରନ୍‌ କରିଥିବା ବେଳେ ହାରଦିକ୍‌ ପାଣ୍ଡିଆଙ୍କ ଦମ୍‌ଦାର ୩୭ ରନ୍‌ (୧୬ ବଲ୍‌ ୫ ଚଉକା ୨ ଛକା) ମୁମ୍ବାଇକୁ ବିଜୟ ଦେଇଥିଲା ।

ଅଧିନାୟକ ରୋହିତ ଶର୍ମା ୨୮ ରନ, କ୍ୱିଣ୍ଟନ ଡିକକ ୪୦ ରନ ଓ ଈଶାନ୍ତ କିଷାନ ଆଉଟ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ ୧୦.୩ ଓଭରରେ ୧୦୪ ରନ କରିଥିଲା। ଟିମ ପ୍ରଥମ ଓ୍ଵିକେଟ ଭାବେ ରୋହିତ ଶର୍ମାଙ୍କୁ ୭୦ ରନ୍‌ରେ ହରାଇଥିବା ବେଳେ ୭୧ ରନ୍‌ରେ ଡି କକ୍‌ ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ଏବି ଡିଭିଲିୟର୍ସ (୭୫ ରନ, ୫୧ ବଲ, ୬ ଚୌକା, ୪ ଛକା) ଓ ମୋଇନ ଅଲିଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୋମବାର ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୧ ରନ୍‌ କରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନସକୁ ୧୭୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଟସ୍‌ ଜିଣି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। କିରଣ ପୋଲାର୍ଡଙ୍କ ଦ୍ୱାରା ଡିଭିଲିୟସ ରନ୍‌ ଆଉଟ୍‌ ହେବା ପରେ ଆକାଶଦୀପ ନାଥ ୨ ରନ କରି ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ପବନ ନେଗିଙ୍କୁ ମାଲିଙ୍ଗା ଆଉଟ କରିଥିଲେ। ବେଙ୍ଗାଲୁରୁ ୧୬୯ ରନ୍‌ରେ ୩ଟି ଓ୍ଵିକେଟ ହରାଇଥିଲା।

ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଅଧିନାୟକ ବିରାଟ କୋହଲି ଶସ୍ତାରେ ଆଉଟ ହୋଇଥିଲେ। କୋହଲି ୯ଟି ବଲ ଖେଳି ୮ ରନ କରିବା ପରେ ବେହେରେନଡ୍ରଫଙ୍କ ବଲ ଓ୍ଵିକେଟକିପର ଡି କକ୍‌ଙ୍କୁ କ୍ୟାଚ ଦେଇ ପାଭଲିିଅନ ଫେରିଥିଲେ। ସେତେବେଳକୁ ସ୍କୋର ୧୨ ରନ୍‌ ଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ବେଙ୍ଗାଲୁରୁ ପାର୍ଥିବ ପଟେଲ (୨୮ ରନ୍‌)ଙ୍କୁ ହରାଇଥିଲା। ମୁମ୍ବାଇର ୩ୟ ଶିକାର ହୋଇଥିଲେ ମୋଇନ ଅଲି (୫୦ ରନ, ୩୨ ବଲ, ୧ ଚୌକା, ୫ ଛକା)। ଲାସିଥ ମାଲିଙ୍ଗାଙ୍କ ବଲରେ ମୋଇନ ଅଲି ଆଉଟ ହୋଇଥିଲେ। ସେହିପରି ମାର୍କସ ଷ୍ଟୋଇନିସ ୨ଟି ବଲ ଖେଳି ମାଲିଙ୍ଗାଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର