ନବ ଦାଶ ସ୍ମାରକୀ କ୍ରିକେଟ୍‌: ରାମେଶ୍ୱର ବିଜେତା

ଭୁବନେଶ୍ୱର: ବିଜେବି କଲେଜ ପଡ଼ିଆରେ ଆୟୋଜିତ ପ୍ରଥମ ନବ ଦାଶ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍‌ ବିଜେତା ହୋଇଛି। ୧୦ ଓଭର ବିଶିଷ୍ଟ ଏହି ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ରାମେଶ୍ୱର ଦଳ ୬ ରନ୍‌ରେ ବିହାରୀ ଲାଲ ଫାଇଟର୍ସକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାମେଶ୍ୱର ଦେବରାଜ କରଙ୍କ ୧୪ ବଲ୍‌ରୁ ୨୭ ଏବଂ ବିଶ୍ୱଜିତ୍‌ ଭୂୟାଁଙ୍କ ୧୬ ବଲ୍‌ରୁ ୨୦ ରନ୍‌ ବଳରେ ୭ ଓ୍ଵିକେଟ୍‌ ହରାଇ ୮୪ ରନ୍‌ କରିଥିଲା। ବିହାରୀଲାଲ୍‌ ଦଳ ପକ୍ଷରୁ ବିପ୍ଲବ ସାମନ୍ତରାୟ, ପ୍ରୟାସ ସିଂହ ଠାକୁର ଓ ଅରବିନ୍ଦ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବିହାରୀଲାଲ ଦଳ ୯ ଓ୍ଵିକେଟ୍‌ ବିନିମୟରେ ୭୮ ରନ୍‌ରେ ଅଟକି ଯାଇଥିଲା। ଓ୍ଵାଲ୍‌ଟର ଟପ୍ପୋ ୨୧ ବଲ୍‌ରୁ ୪୦ ରନ୍‌ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ବିଜେତା ଦଳ ପକ୍ଷରୁ ଦୀପକ୍‌ ମଙ୍ଗରାଜ ହ୍ୟାଟିକ୍‌ (କ୍ରମାଗତ ୩ ଓ୍ଵିକେଟ୍‌) ଅର୍ଜନ କରିଥିଲେ। ସେ ୮ ରନ୍‌ ବିନିମୟରେ ୩ ଓ୍ଵିକେଟ୍‌ ଦଖଲ କରି ରାମେଶ୍ୱର ବିଜୟର କର୍ଣ୍ଣଧାର ସାଜିଥିଲା ବେଳେ ବିଶ୍ୱଜିତ୍‌ ଭୂୟାଁ ମଧ୍ୟ ୨୪ ରନ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଦୀପକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ବିଶ୍ୱଜିତ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଯୁବ ନେତା ତଥା ସାମାଜିକ କର୍ମୀ ସତ୍ୟଜିତ୍‌ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର