ୱଜ୍‌ନିଆକିଙ୍କୁ ବିଦା କଲେ ସାରାପୋଭା

ନାଦାଲ, ଫେଡେରର୍‌, କର୍ବର, ଷ୍ଟିଫେନ୍ସଙ୍କ ସହଜ ବିଜୟ, ୧୭ ବର୍ଷୀୟା ଆନିସିମୋଭାଙ୍କଠୁ ହାରିଲେ ସାବାଲେଙ୍କା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତାରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଘଟିଛି। ଗତଥରର ବିଜୟିନୀ ତଥା ତୃତୀୟ ମାନ୍ୟତା ଡେନ୍‌ମାର୍କ ଲଳନା କାରୋଲିନ୍‌ ୱଜନିଆକିଙ୍କୁ ୬-୪, ୪-୬, ୬-୩ ସେଟ୍‌ରେ ମାତ୍‌ ଦେଇ ବିଦାୟ ରାସ୍ତା ‌ଦେଖାଇଦେବା ସହିତ ୫ ଥର ଗ୍ରାଣ୍ଡ୍‌ ବିଜୟିନୀ ରୁଷିଆର ମାରିଆ ସାରାପୋଭା (୩୦ ମାନ୍ୟତା) ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେହିପରି ଆମେରିକାର ଅଣମାନ୍ୟତା ୧୭ ବର୍ଷୀୟା ଆମନ୍ଦା ଆନିସିମୋଭା ଏକାଦଶ ମାନ୍ୟତା ଅରିନା ସାବ‌ାଲେଙ୍କାଙ୍କୁ ୬-୩, ୬-୨ ସିଧାସଳଖ ସେଟ୍‌ରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏତେ କମ୍ ବୟସରେ ସେ ମଧ୍ୟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚିବାର ସଫଳତା ସାଉଁଟିଛନ୍ତି। ମହିଳା ମାନ୍ୟତା ଖେଳାଳିଙ୍କ ମଧ୍ୟରେ ଆଞ୍ଜେଲିକ୍‌ କର୍ବର (ଦ୍ବିତୀୟ), ସ୍ଲୋଆନେ ଷ୍ଟିଫେନ୍ସ (ପଞ୍ଚମ), ପେଟ୍ରା କ୍ବିତୋଭା (ଅଷ୍ଟମ) ଏବଂ ଆସ‌ିଲେ ବାର୍ତି (ପଞ୍ଚଦଶ) ପ୍ରି-କ୍ବାର୍ଟର୍‌ ଫାଇନ‌ାଲ୍‌ରେ ନିଜ ପାଇଁ ସ୍ଥାନ ପକ୍କ‌ା‌ କରିଛନ୍ତି। ୱିମ୍ବଲ୍‌ଡନ୍‌ ବିଜୟିନୀ ଜର୍ମାନିର କର୍ବର ୬-୧, ୬-୦ ସେଟ୍‌ରେ ଅଷ୍ଟ୍ରେଲିଆର ମିମ୍ବର୍ଲି ବିରେଲଙ୍କୁ, ଆମେରିକାର ଷ୍ଟିଫେନ୍ସ ୭-୬, ୭-୬ ସେଟ୍‌ରେ ୩୧ ମାନ୍ୟତା କ୍ରୋଏସିଆର ପେଟ୍ରା ମାର୍ତିକଙ୍କୁ, ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଚେକ୍‌ ଗଣରାଜ୍ୟର କ୍ବିତୋଭା ୬-୧, ୬-୪ ସେଟ୍‌ରେ ସ୍ବିଜରଲାଣ୍ଡର ବେଲିନ୍ଦା ବେନ୍‌ସିକ୍‌ଙ୍କୁ ଏବଂ ଅଷ୍ଟ୍ରେଲିଆର ବାର୍ତି ୭-୫, ୬-୧ ସେଟ୍‌ରେ ଗ୍ରିସ୍‌ର ମାରିଆ ସାକ୍କରିଙ୍କୁ ପରାସ୍ତ କରିଥିଲେ। ଉନ୍ନବିଂଶ ମାନ୍ୟତା ଫ୍ରାନ୍ସର କାରୋଲିନ୍‌ ଗାର୍ସିଆଙ୍କୁ ୬-୩, ୬-୨ ସେଟ୍‌ରେ ଆମେରିକାର ଡାନିଏଲ୍‌ ରୋଜ୍‌ କଲିନ୍‌ ଏବଂ ବେଲାରୁଷର ଆଲେକ୍‌ସାନ୍ଦ୍ରା ସାସ୍‌ନୋଭିକ୍‌ଙ୍କୁ ୬-୦, ୬-୩ ସେଟ୍‌ରେ ରୁଷିଆର ଆନେସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ହରାଇ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ।

ପୁରୁଷ ଏକକରେ ମାନ୍ୟତା ଖେଳାଳି ରାଫେଲ୍‌ ନାଦାଲ (ଦ୍ବିତୀୟ), ରୋଜର ଫେଡେରର୍‌ (ତୃତୀୟ), ମାରିନ୍‌ ସିଲିକ (‌ଷଷ୍ଠ) ନିଜ ନିଜ ଅଭିଯାନ ଜାରି ରଖି ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ତୃତୀୟ ପର୍ଯ୍ୟ‌ାୟରେ ୧୭ ଗ୍ରାଣ୍ଡ୍‌ ସ୍ଲାମ ବିଜେତା ସ୍ପେନ୍‌ର ନାଦାଲ ୬-୧, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌରଙ୍କୁ, ଗତ ଥରର ବିଜେତା ସ୍ବିଜରଲାଣ୍ଡ୍‌ ତାରକା ଫେଡେରର୍‌ ୬-୨, ୭-୫, ୬-୨ ସେଟ୍‌ରେ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ, ପୂର୍ବ ଫାଇନାଲି‌ଷ୍ଟ କ୍ରୋଏସିଆର ସିଲିକ୍‌ ୪-୬, ୩-୬, ୬-୧, ୭-୬, ୬-୩ ସେଟ୍‌ରେ ସ୍ପେନ୍‌ର ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ହରାଇଥିଲେ। ଅନ୍ୟ ପୁରୁଷ ଏକକ ଖେଳାଳିଙ୍କ ମଧ୍ୟରେ ବୁଲ୍‌ଗେରିଆର ଗ୍ରି‌ଗୋର୍‌ ଦିମିତ୍ରୋଭ (ବିଂଶ) ୭-୬, ୬-୪, ୬-୪ ସେଟ୍‌ରେ ଇଟାଲିର ଥୋମାସ ଫାବିଆନୋଙ୍କୁ, ସ୍ପେନ୍‌ର ରବର୍ଟୋ ବତିସ୍ତା ଅଗୁଟ୍‌ (ଦ୍ବିବିଂଶ) ୬-୪, ୭-୫, ୬-୪ ସେଟ୍‌ରେ ରୁଷିଆର ଖାଚାନୋଭ (ଦଶମ)ଙ୍କୁ, ଗ୍ରିସ୍‌ର ଷ୍ଟିଫାନ୍ସ ସିସିପାସ (ଚର୍ତୁଦଶ) ୬-୩, ୩-୬, ୭-୫, ୬-୪ ସେଟ୍‌ରେ ଜର୍ଜିଆର ନିକୋଲୋଜ ବାସିଲାସଭିଲିଙ୍କୁ, ଚେକ୍‌ଗଣରାଜ୍ୟର ଥୋମାସ ବର୍ଡିଚ୍‌ ୫-୭, ୬-୩, ୭-୫, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଗୋ ସ୍ବାର୍ତମାନ୍‌ (ଅଷ୍ଟାଦଶ)ଙ୍କୁ ଏବଂ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏ ୬-୭, ୬-୩, ୪-୬, ୬-୪, ୬-୩ ସେଟ୍‌ରେ ଇଟାଲିର ଆଣ୍ଡ୍ରିସ୍‌ ସେପିଙ୍କୁ ହରାଇ ପରବର୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର