ରୋଲାଁ ଗ୍ୟାରସ୍‌ରେ ନାଦାଲ ରାଜ୍‌

୧୧ ଥର ପାଇଁ ଜିତିଲେ ଫ୍ରେଞ୍ଚ୍‌ ଓପନ୍‌, ଗୋଟିଏ ଗ୍ରାଣ୍ଡ୍‌ସ୍ଲାମ୍‌ରେ ସର୍ବାଧିକ ଟ୍ରଫି ଜିତିବାରେ ମାର୍ଗରେଟ୍‌ଙ୍କ ସମକକ୍ଷ

ପ୍ୟାରିସ୍‌: ରୋଲାଁ ଗ୍ୟାରସ୍‌ରେ ପୁଣି ଦେଖିବାକୁ ମିଳିଲା ନାଦାଲଙ୍କ ରାଜ୍‌। ପେସାଦାର ଜୀବନରେ ମୋଟ ୧୭ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାତେଇଥିବା ସ୍ପେନ୍‌ ତାରକା ରାଫେଲ ନାଦାଲ ୧୧ ଥର ଫ୍ରେଞ୍ଚ୍‌ ଓପନ୍‌ ବିଜେତା ହେଲେ। ଏପରିକି ଗତ ୧୪ ବର୍ଷ (୨୦୦୫ରୁ ୨୦୧୮) ମଧ୍ୟରେ ୧୧ ଥର ରୋଲାଁ ଗ୍ୟାରସ୍‌ରେ ଟ୍ରଫି ଜିତି କ୍ଲେ-କୋର୍ଟର ସମ୍ରାଟ୍‌ ଆଖ୍ୟାକୁ ଅତୁଟ ରଖିଲେ। ଏଥି ସହିତ କୌଣସି ଗୋଟିଏ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ସର୍ବାଧିକ ସଂଖ୍ୟକ ଟ୍ରଫି ଜିତିବାରେ ଯୁଗ୍ମ କୀର୍ତିମାନ କଲେ। ଏକ୍ଷେତ୍ରରେ ୩୨ ବର୍ଷ ବୟସ୍କ ନାଦାଲ ମଧ୍ୟ ମାର୍ଗାରେଟ୍‌ କୋର୍ଟଙ୍କ ସର୍ବକାଳୀନ କୀର୍ତିମାନର ସମକକ୍ଷ ହେଲେ। ନାଦାଲ ପ୍ୟାରିସ୍‌ରେ ୧୧ ଥର ବିଜେତା ହୋଇଥିଲା ବେଳେ ଏହା ପୂର୍ବରୁ ମାର୍ଗାରେଟ୍‌ କୋର୍ଟ ୧୯୬୦ରୁ ୧୯୭୩ ମସିହା ମଧ୍ୟରେ ଅଷ୍ଟ୍ରେଲିଆ ଓପନ୍‌ରେ ୧୧ ଥର ଟ୍ରଫି ଜିତିଥିଲେ। ଏଭଳି କିର୍ତିମାନ ସତ୍ତ୍ୱେ ନାଦାଲ ଏବେ ବି ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରର୍‌ଙ୍କ ସର୍ବାଧିକ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟଠୁ ୩ ପଛରେ ରହିଛନ୍ତି। ତାଙ୍କଠୁ ୪ ବର୍ଷ ବଡ଼ ସ୍ୱିଜରଲାଣ୍ଡ୍‌ ତାରକା ଫେଡେରର୍‌ଙ୍କ ନାମରେ ସର୍ବାଧିକ ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ରହିଛି। ନାଦାଲଙ୍କ ୧୭ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ମଧ୍ୟରେ ୧୧ ଫ୍ରେଞ୍ଚ୍‌ ଓପନ୍‌କୁ ବାଦ୍‌ ଦେଲେ ୩ ୟୁଏସ୍‌ ଓପନ୍‌ (୨୦୧୦, ୨୦୧୩ ଓ ୨୦୧୭), ୨ ଓ୍ଵିମ୍ବିଲଡନ୍‌ (୨୦୦୮ ଓ ୨୦୧୦) ଏବଂ ଗୋଟିଏ ଅଷ୍ଟ୍ରେଲିଆନ୍‌ ଓପନ୍‌ (୨୦୦୯) ସାମିଲ ରହିଛି। ୨୦୦୫, ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭ ଓ ୨୦୧୮ରେ ନାଦାଲ ରୋଲାଁ ଗ୍ୟାରସ୍‌ରେ ରାଜ୍‌ କରିଥିଲେ।

ଚଳିତ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ପାଇଁ ଗତଥର ବିଜେତା ନାଦାଲଙ୍କ ସହ ଲଢ଼ିଥିଲେ ଅଷ୍ଟ୍ରିଆ ତାରକା ଡୋମିନିକ୍‌ ଥିମ୍‌। ନାଦାଲଙ୍କୁ କ୍ଲେ-କୋର୍ଟରେ ତିନି ବା ତା’ଠୁ ଅଧିକ ଥର ପରାସ୍ତ କରିବାରେ ଥିମ୍‌ ଅନ୍ୟ ତିନି ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ପୁଣି ଥିମ୍‌ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ଖେଳୁଥିଲେ। ସେହି ଦୃଷ୍ଟିରୁ ୨୪ ବର୍ଷ ବୟସ୍କ ଥିମ୍‌ ଏଥର ନାଦାଲଙ୍କୁ କିଛିଟା ଚ୍ୟାଲେଞ୍ଜ୍‌ ଦେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଶୀର୍ଷ ମାନ୍ୟତା ନାଦାଲ ଏବଂ ସପ୍ତମ ମାନ୍ୟତା ଥିମ୍‌ଙ୍କ ଫାଇନାଲ୍‌ ମୁକାବିଲା ରବିବାର କିନ୍ତୁ ଏକପାଖିଆ ହୋଇଗଲା। ରୋଲାଁ ଗ୍ୟାରସ୍‌ରେ ନିଜ ଜୀବନର ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ଖେଳିଥିବା ନାଦାଲ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ। ପ୍ରଥମ ସେଟ୍‌କୁ ୬-୪ ଓ ଦ୍ୱିତୀୟ ସେଟ୍‌କୁ ୬-୩ରେ ଜିତି ନାଦାଲ ମଧ୍ୟ ଥିମ୍‌ଙ୍କ ଉପରେ ଜୋର୍‌ସୋର୍‌ ଚାପ ପକାଇଥିଲେ। ଶେଷରେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ୬-୨ରେ ଜିତି ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ବଜାୟ ରଖିଲେ।

ସମ୍ବନ୍ଧିତ ଖବର