ଫାଇନାଲ୍‌ରେ ଜୋକୋଭିକ-ଫେଡେରର୍‌, ନାଦାଲ୍‌ ବିଦା

ଲଣ୍ଡନ: ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୋଜର ଫେଡେରର୍‌ ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତି‌ଯୋଗିତା ୱିମ୍ବଲ୍‌ଡନ୍‌ ପୁରୁଷ ଏକକ ଫାଇନାଲ୍‌ରେ ରବିବାର ମୁହାଁମୁହିଁ ହେବେ। ଶୁକ୍ରବାର ସେମିଫାଇନାଲ୍‌ରେ ଗତଥରର ବିଜେତା ସର୍ବିଆ ତାରକା ‌ଦ୍ବିତୀୟ ସେଟ୍‌ ହାରିବା ସତ୍ତ୍ବେ ୬-୪, ୪-୬, ୬-୩, ୬-୨ରେ ୨୩ ମାନ୍ୟତାପ୍ରାପ୍ତ ସ୍ପେନ୍‌ ତାରକା ରର୍ବଟୋ ବତିସ୍ତା ଅଗୁଟଙ୍କୁ ହରାଇ ଷଷ୍ଠ ଥର ଲାଗି ଏଠାରେ ଫାଇନାଲ୍‌ରେ ପହଞ୍ଚିଥିଲେ। ୩୬ ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ଖେଳୁଥିବା ଜୋକୋଭିକ୍‌ଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ୨ ଘଣ୍ଟା ୪୮ ମିନିଟ୍‌ ସମୟ ଲାଗିଥିଲା। ୱିମ୍ବଲଡନ୍‌ରେ ଜୋକୋଭିକ୍‌ଙ୍କର ଏହା କ୍ରମାଗତ ତ୍ରୟୋଦଶ ଏକକ ମ୍ୟାଚ୍‌ ବିଜୟ। ସେହିପରି ଦ୍ବିତୀୟ ସେମିଫାଇନାଲ୍‌ରେ ସ୍ବିଜରଲାଣ୍ଡ ତାରକା ତଥା ‌୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଫେଡେରର୍‌ ୭-୬, ୧-୬, ୬-୩, ୬-୪ ସେଟ୍‌ରେ ୧୮ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ତଥା ତୃତୀୟ ମାନ୍ୟତା ପ୍ରାପ୍ତ ରାଫେଲ୍‌ ନାଦାଲ୍‌ଙ୍କୁ ପରାସ୍ତ କରିଥିଲେ। ଏଠାରେ ଦୁଇଟି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିବା ୩୩ ବର୍ଷୀୟ ସ୍ପେନ୍‌ ତାରକା ନାଦାଲ୍‌ ପ୍ରଥମ ସେଟ୍‌ରେ କଡ଼ା ସଂଘର୍ଷ କରି ହାରିଥିଲେ ମଧ୍ୟ ଦ୍ବିତୀୟ ସେଟ୍‌କୁ ଜିତି ସ୍ଥିତି ବରାବର କରିଥିଲେ। ହେଲେ ଏଠାରେ ୮ ଥର ମୁକୁଟ ଜିତିବାରେ ସଫଳ ହୋଇଥିବା ୩୭ ବର୍ଷୀୟ ଫେଡେରର୍‌ ତୃତୀୟ ଓ ଚତୁର୍ଥ ସେଟ୍‌କୁ ଜିତି ଦ୍ବାଦଶ ଥର ଲାଗି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏହି ମ୍ୟାଚ୍‌ ୩ ଘଣ୍ଟା ଧରି ଚାଲିଥିଲା।

ସମ୍ବନ୍ଧିତ ଖବର