କ୍ୱାର୍ଟର୍‌ରେ ନାଦାଲ୍‌-ସିଲିକ୍‌ ମୁହାଁମୁହିଁ

ମହିଳା ଏକକ କ୍ୱାର୍ଟର୍‌ରେ ଓ୍ଵଜ୍‌ନିଆକି, ସ୍ୱିତୋଲିନା

ମେଲ୍‌ବର୍ନ: ବିଶ୍ୱର ଶୀର୍ଷ ମାନ୍ୟତା ଖେଳାଳି ତଥା ୧୬ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ରାଫେଲ୍‌ ନାଦାଲ୍‌ ଏବଂ ଷଷ୍ଠ ମାନ୍ୟତା ମାରିନ୍‌ ସିଲିକ୍‌ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର୍‌ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ରବିବାର ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ପେନ୍‌ ତାରକା ନାଦାଲ ୬-୩, ୬-୭, ୬-୩, ୬-୩ ସେଟ୍‌ରେ ୨୪ତମ ମାନ୍ୟତା ଆର୍ଜେଣ୍ଟିନାର ଡିଆଗୋ ସ୍କ୍ଵାର୍ଜମ୍ୟାନ୍‌ଙ୍କୁ ହରାଇଥିଲେ। ସେହିପରି ୟୁଏସ୍‌ ଓପନ୍‌ ବିଜେତା କ୍ରୋଏସିଆର ସିଲିକ୍‌ ୬-୭, ୬-୩, ୭-୬, ୭-୬ ସେଟ୍‌ରେ ସ୍ପେନ୍‌ର ପାବ୍ଲୋ କାରିନା ବୁଷ୍ଟାଙ୍କୁ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ଏଥି ସହିତ ସିଲିକ୍‌ ତାଙ୍କ ଜୀବନର ୧୦୦ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ମ୍ୟାଚ୍‌ ଜିତିବାର ଗୌରବ ପାଇଥିଲେ। ଅନ୍ୟପକ୍ଷରେ ବ୍ରିଟେନ୍‌ ତାରକା କାଏଲ୍‌ ଏଡମୁଡ୍‌ ୬-୭, ୭-୫, ୬-୨, ୬-୩ ସେଟ୍‌ରେ ଇଟାଲିର ଆଣ୍ଡ୍ରିସ୍‌ ସେପ୍ପିଙ୍କୁ ହରାଇ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେ କ୍ୱାର୍ଟର୍‌ ଫାଇନାଲ୍‌ରେ ତୃତୀୟ ମାନ୍ୟତା ଗ୍ରିଗର ଦିମିତ୍ରୋଭଙ୍କୁ ଭେଟିବେ। ବୁଲ୍‌ଗେରିଆର ଦିମିତ୍ରୋଭ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ସପ୍ତଦଶ ମାନ୍ୟତା ଅଷ୍ଟ୍ରେଲିଆର ନିକ୍‌ କିର୍ଗିସ୍‌ଙ୍କୁ ପରାସ୍ତ କରିଥିଲେ।

ମହିଳା ଏକକ ବର୍ଗରେ ରବିବାର ଦ୍ୱିତୀୟ ମାନ୍ୟତା କାରୋଲିନା ଓ୍ଵଜ୍‌ନିଆକି ଏବଂ ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନା ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ ବାଧା ପାରି କରିଛନ୍ତି। ଡେନ୍‌ମାର୍କ ସୁନ୍ଦରୀ ଓ୍ଵଜ୍‌ନିଆକି ୬-୩, ୬-୦ ସିଧାସଳଖ ସେଟ୍‌ରେ ଉନ୍ନବିଂଶ ମାନ୍ୟତା ସ୍ଲୋଭାକିଆର ମାଗ୍‌ଦେଲିନା ରିବାରିକୋଭାଙ୍କୁ ହରାଇଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ଡବ୍ଲୁଟିଏ ଫାଇନାଲ୍‌ ବିଜେତା ଓ୍ଵଜ୍‌ନିଆକି ସ୍ପେନ୍‌ର କାର୍ଲା ସୁଆରେଜ୍‌ ନାଭାରୋଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ନାଭାରୋ ୪-୬, ୬-୪, ୮-୬ ସେଟ୍‌ରେ ଇସ୍ତୋନିଆର ଆନିଟ୍‌ କୋଣ୍ଟାଭିଟ୍‌ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ କ୍ୱାର୍ଟର୍‌ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ। କ୍ରୋଏସିଆର ପେଟ୍ରା ମାର୍ଟିକଙ୍କୁ ୬-୭, ୫-୭ରେ ହରାଇ ବେଲ୍‌ଜିୟମ୍‌ର ଏଲିସ୍‌ ମର୍ତିନ୍‌ସ କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ମର୍ତିନ୍‌ସ କ୍ୱାର୍ଟରରେ ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନାଙ୍କୁ ଭେଟିବେ। ୟୁକ୍ରେନ୍‌ ଲଳନା ସ୍ୱିତୋଲିନା ପ୍ରିକ୍ୱାର୍ଟର୍‌ ଫାଇନାଲ୍‌ରେ ଚେକ୍‌ଗଣରାଜ୍ୟର ଦେନିସା ଆଲର୍ଟୋଭାଙ୍କୁ ୬-୩, ୬-୦ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର