ନାଦାଲ-ଥିମ୍‌ ଫାଇନାଲ୍‌

ଆଜି ମହିଳା ଟ୍ରଫି ପାଇଁ ଲଢ଼ିବେ ହାଲେପ୍‌-ଷ୍ଟିଫେନ୍‌ସ

ପ୍ୟାରିସ୍‌: ୧୬ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ରାଫେଲ ନାଦାଲ ରୋଲାଁ ଗ୍ୟାରସ୍‌ରେ ଏକାଦଶ ଥର ପୁରୁଷ ଏକକ ଟ୍ରଫି ଜିତିବାର ନିକଟତର ହୋଇଛନ୍ତି। ଏହି ଶୀର୍ଷ ମାନ୍ୟତା ସ୍ପେନ୍‌ ତାରକାଙ୍କୁ ଶୁକ୍ରବାର ସେମିଫାଇନାଲ୍‌ ଜିତିବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡ଼ିନଥିଲା। ଏକାଦଶ ଥର ପାଇଁ ଏଠାରେ ସେମିଫାଇନାଲ୍‌ ପ୍ରବେଶ କରିଥିବା ନାଦାଲ ସିଧାସଳଖ ୬-୪, ୬-୧ ଓ ୬-୨ ସେଟ୍‌ରେ ପଞ୍ଚମ ମାନ୍ୟତା ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋଙ୍କୁ ପରାସ୍ତ କରି ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଟ୍ରଫି ପାଇଁ ରବିବାର ଫାଇନାଲ୍‌ରେ ନାଦାଲଙ୍କ ମୁକାବିଲା ସପ୍ତମ ମାନ୍ୟତା ଡୋମିନିକ୍‌ ଥିମ୍‌ଙ୍କ ସହ ହେବ। ନାଦାଲଙ୍କ ବିପକ୍ଷରେ ଥିମ୍‌ଙ୍କ ପରାଜୟ ବ୍ୟବଧାନ ୩-୬ ରହିଛି। ଥିମ୍‌ ଏକମାତ୍ର ଖେଳାଳି ଯିଏକି କ୍ଲେ କୋର୍ଟରେ ନାଦାଲ୍‌ଙ୍କୁ ଶେଷ ୨ ବର୍ଷରେ ହରାଇ ପାରିଛନ୍ତି। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରିଆ ତାରକା ଥିମ୍‌ ୭-୫, ୭-୬, ୬-୧ ସିଧାସଳଖ ସେଟ୍‌ରେ ଇଟାଲିର ମାର୍କୋ ସିସଚିନାତୋଙ୍କୁ ହରାଇ ପ୍ରଥମ ଥର ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ଏଥି ସହିତ ୧୯୯୫ ପରେ ପ୍ରଥମ ଅଷ୍ଟ୍ରିଆ ଖେଳାଳି ଭାବେ ମଧ୍ୟ ଥିମ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶେଷ ଥର ଲାଗି ୧୯୯୫ରେ ଅଷ୍ଟ୍ରିଆର ଥୋମାସ ମୁଷ୍ଟର ଏଠାରେ ଫାଇନାଲ୍‌ ଖେଳିଥିଲେ। ୭୨ ମାନ୍ୟତା ସିସଚିନାତୋ କ୍ୱାର୍ଟର୍‌ ଫାଇନାଲ୍‌ରେ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ସର୍ବିଆର ନୋଭାକ ଜୋକୋଭିକ୍‌ଙ୍କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଆଉ ଆଗକୁ ବଢ଼ି ପାରିନଥିଲେ। ଅନ୍ୟପକ୍ଷରେ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ଫାଇନାଲ୍‌ ଆସନ୍ତାକାଲି ଖେଳାଯିବ। ଏଥିରେ ଟ୍ରଫି ପାଇଁ ଶୀର୍ଷ ମାନ୍ୟତା ରୋମାନିଆ ଲଳନା ସିମୋନା ହାଲେପ୍‌ ଏବଂ ଦଶମ ମାନ୍ୟତା ଆମେରିକାର ସ୍ଲୋଆନେ ଷ୍ଟିଫେନ୍‌ସ ଲଢ଼ିବେ।

ସମ୍ବନ୍ଧିତ ଖବର