ନଦୀମଙ୍କ ବିଶ୍ୱ କୀର୍ତିମାନ, (୧୦-୪-୧୦-୮)

ଚେନ୍ନାଇ: ଗୁରୁବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫି ଅବସରରେ ଝାଡ଼ଖଣ୍ଡୀ ସ୍ପିନର ସାହବାଜ୍‌ ନଦୀମ୍‌ ଲିଷ୍ଟ-ଏ କ୍ରିକେଟ୍‌ରେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ରାଜସ୍ଥାନ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍‌ରେ ସେ ୧୦-୪-୧୦-୮ର ବୋଲିଂ ଚିତ୍ର ପାଇ ଲିଷ୍ଟ-ଏରେ ସର୍ବକାଳୀନ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି। ଏହା ପୂର୍ବରୁ ଲିଷ୍ଟ-ଏରେ ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ରାହୁଲ୍‌ ସାଂଘଭିଙ୍କ ନାମରେ ରହିଥିଲା। ଏହି ଦିଲ୍ଲୀ ବୋଲର ୧୯୯୭-୯୮ରେ ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ୧୫ ରନ୍‌ରେ ୮ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ନଦୀମ୍‌ ଏବେ ସାଂଘଭିଙ୍କ କୀର୍ତିମାନକୁ କାଟି ଦେଇଛନ୍ତି। କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ରେ ଏଭଳି ସଫଳତା ପାଇବାରେ ସିଂହଳୀ ଦ୍ରୁତ ବୋଲର ଚାମିନ୍ଦା ଭାସ୍‌ଙ୍କ ନାମ କୀର୍ତିମାନ ପୃଷ୍ଠାରେ ସାମିଲ ରହିଛି। ଭାସ୍‌ ୨୦୦୧-୦୨ରେ ଜିମ୍ବାେଓ୍ଵ ବିପକ୍ଷ କଲମ୍ବୋ ମ୍ୟାଚ୍‌ରେ ୧୯ ରନ୍‌ରେ ୮ ଓ୍ଵିକେଟ୍‌ ନେଇଥିଲେ। ସେହିପରି ଏହା ପୂର୍ବରୁ ୨୦୧୦-୧୧ରେ ହାଇଦ୍ରାବାଦ ବିପକ୍ଷ ଏକ ରଣଜୀ ଟ୍ରଫି ମ୍ୟାଚ୍‌ରେ ରାଜସ୍ଥାନ ବୋଲର ଦୀପକ ଚହର ୧୦ ରନ୍‌ରେ ୮ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୨୯ ବର୍ଷ ବୟସ୍କ ନଦୀମ୍‌ ଲିଷ୍ଟ-ଏ ସ୍ତରରେ ୮୭ ମ୍ୟାଚ୍‌ ଖେଳି ୧୨୪ ଓ୍ଵିକେଟ୍‌ ଦଖଲ କରିସାରିଛନ୍ତି। ସେ ମଧ୍ୟ ୯୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୭୫ ଏବଂ ୧୦୯ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରୁ ୮୯ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ନଦୀମ୍‌ଙ୍କ ମାରାତ୍ମକ ବୋଲିଂ ବଳରେ ଝାଡ଼ଖଣ୍ଡ ମଧ୍ୟ ଏହି ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିନେଇଛି। ନଦୀମ୍‌ ଏକାକି ୧୦ ଓଭରରେ ମାତ୍ର ୧୦ ରନ୍‌ ବ୍ୟୟକରି ୮ ଓ୍ଵିକେଟ୍‌ ଦଖଲ କରିବାରୁ ରାଜସ୍ଥାନ ପାଳି ୭୩ ରନ୍‌ (୨୮.୩ ଓଭର)ରେ ସଫା ହୋଇଯାଇଥିଲା। ନଦୀମ୍‌ ମଧ୍ୟ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅବଶିଷ୍ଟ ୨ ଓ୍ଵିକେଟ୍‌ ୧୯ ବର୍ଷ ବୟସ୍କ ବାମହାତୀ ସ୍ପିନର ଅନୁକୂଳ ରୟଙ୍କୁ ମିଳିଥିଲା। ଜବାବରେ ଝାଡ଼ଖଣ୍ଡ ୧୪.୩ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ୭୬ ରନ୍‌ କରି ମ୍ୟାଚ୍‌ ଜିତି ଯାଇଥିଲା।

ସମ୍ବନ୍ଧିତ ଖବର