ନଗେଶ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ବର: ଚଳିତ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ବୁଧବାର ପ୍ରଥମ ମ୍ୟାଚ୍‌ରେ କର୍ଣ୍ଣାଟକଠୁ ହାରିଥିବା ଓଡ଼ିଶା ଗୁରୁବାର ଗୋଆକୁ ୭୧ ରନ୍‌ରେ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଧାରିତ ୨୦ ଓଭରରେ ପଙ୍କଜ ଭୂଏ (୯୨) ଏବଂ ନକୁଳ ବଡ଼ନାୟକ (୬୦)ଙ୍କ ଅର୍ଧଶତକ ବଳରେ ୪ ୱିକେଟ୍‌ ବିନିମୟରେ ୨୦୫ ରନ୍‌ କରିଥିଲା। ଜବାବରେ ଗୋଆ ୮ ୱିକେଟ୍‌ ହରାଇ ୧୩୪ ରନ୍‌ କରିପାରିଥିଲା। ସୁଖରାମ ମାଝୀ, ରମଚନ୍ଦ୍ର ହାଂସଦା ୨ ଲେଖାଏଁ ଏବଂ ପଙ୍କଜ ଓ ଲଲାଟେନ୍ଦୁ ମହାନ୍ତ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ପଙ୍କଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ପରବର୍ତୀ ୩ ମ୍ୟାଚ୍‌ ରାଜସ୍ଥାନ, ପଂଜାବ ଓ ପଣ୍ଡିଚେରୀ ବିପକ୍ଷରେ ରାଜସ୍ଥାନର ଆଜ୍‌ମୀରଠାରେ ଚଳିତ ମାସ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଖେଳିବ।

ସମ୍ବନ୍ଧିତ ଖବର