ନାଇଜେରିଆର ପ୍ରଥମ ବିଜୟ

ଭୋଲ୍‌ଗୋଗ୍ରାଡ୍‌: ଆଇସ୍‌ଲାଣ୍ଡ୍‌କୁ ତରଳାଇ ଦେଲା ନାଇଜେରିଆ। ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ଏହି ଆଫ୍ରିକୀୟ ଦେଶ ୨-୦ ଗୋଲ୍‌ରେ ନବାଗତ ୟୁରୋପୀୟ ଦେଶ ଆଇସ୍‌ଲାଣ୍ଡ୍‌କୁ ହରାଇ ଦେଇଛି। ଏହି ବିଜୟ ଗତ ଥରର ଉପବିଜେତା ଆର୍ଜେଣ୍ଟିନା ପାଇଁ ଆଶା ଆଣିଛି। ଏବେ ଆର୍ଜେଣ୍ଟିନାକୁ ଶେଷ ଲିଗ୍‌ରେ ନାଇଜେରିଆକୁ ହରାଇବା ସହିତ ଅନ୍ୟ ମ୍ୟାଚ୍‌ରେ ଆଇସଲାଣ୍ଡ୍‌ ପ୍ରତିପକ୍ଷ କ୍ରୋଏସିଆକୁ ହରାଇ ନପାରିଲେ ହିଁ ମେସି ବାହିନୀ ଆଗକୁ ବଢ଼ିିବ। ସୁପର୍‌ ଇଗଲ୍‌ ଦଳ ଭାବେ ପରିଚିତ ନାଇଜେରିଆ ପାଇଁ ଶୁକ୍ରବାର ତାରକା ଖେଳାଳି ଅହମ୍ମଦ ମୁସା ହିଁ ଦେଇଥିଲେ ଉଭୟ ଗୋଲ୍‌। ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ ମ୍ୟାଚ୍‌ର ୪୯ତମ ମିନିଟ୍‌ରେ ଆଇସଲାଣ୍ଡ୍‌ ଥ୍ରୋରୁ ବଲ୍‌କୁ ପାଇଥିବା ଭିକ୍ଟର ମୋଜେସ୍‌ ସାଥୀ ମୁସାଙ୍କୁ ପାସ୍‌ ଦେଇଥିଲେ। ଏହି ଲିସେଷ୍ଟର୍‌ ଷ୍ଟ୍ରାଇକର୍‌ ଶେଷକୁ ହାଫ୍‌ ଭଲି ଜରିଆରେ ଆଇସ୍‌ଲାଣ୍ଡ ଗୋଲ୍‌ରକ୍ଷକ ହେନ୍‌ସ ହଲଡର୍ସନ୍‌ଙ୍କୁ ଚକମା ଦେବାରେ ସକ୍ଷମ ହୋଇଥିଲେ। ୭୫ତମ ମିନିଟ୍‌ରେ ମୁସା ଦେଇଥିବା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଅଧିକ ଆକର୍ଷଣୀୟ ଥିଲା। ଆଇସ୍‌ଲାଣ୍ଡ୍‌ର ଗୋଲ୍‌ ମୁହଁରେ ବେଶ ଚତୁରତାର ସହ ଆଗକୁ ଆସି ଡାଇଭ୍‌ ମାରିଥିବା ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରି ବଲ୍‌ ନେବା ପରେ ଅନ୍ୟ ଦୁଇ ରକ୍ଷଣଭାଗ ଖେଳାଳିଙ୍କୁ ଚକ୍‌ମା ଦେଇଥିଲେ। ଆଉ ଏକ ଗୋଲ୍‌ ସହ ହ୍ୟାଟ୍ରିକ୍‌ ଅର୍ଜନର ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ମୁସା ଏହାକୁ ଉପର ବାର୍‌କୁ ମାରି ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ୮୧ତମ ମିନିଟ୍‌ରେ ଆଇସଲାଣ୍ଡ୍‌କୁ ଏକ ପେନାଲଟି ମିଳିଥିଲେ ମଧ୍ୟ ଏହାକୁ ଗିଲ୍‌ଫି ସିଗୁର୍‌ଦସନ୍‌ ବାର ଉପରକୁ ମାରି ନିନ୍ଦିତ ହୋଇଥିଲେ। ମୁସା କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମୁସା ମଶାଲ
ଆଇସଲାଣ୍ଡ୍‌ ବିପକ୍ଷ ଯୁଗଳ ଗୋଲ୍‌ (୪୯ ଓ ୭୫ ମିନିଟ) ସହିତ ଅହମ୍ମଦ ମୁସା ଏକାଧିକ ବିଶ୍ୱକପ୍‌ରେ ଗୋଲ ଦେବାରେ ପ୍ରଥମ ନାଇଜେରୀୟ ଭାବେ ବିରଳ କ୍ଲବ୍‌ରେ ନିଜ ନାମକୁ ସାମିଲ କରି ନେଇଛନ୍ତି। ୨୦୧୪ରେ ମଧ୍ୟ ସେ ୨ ଗୋଲ୍‌ ଦେଇଥିଲେ। ସେହିଭଳି ଦେଶର ଶେଷ ୩ ବିଶ୍ୱକପ୍‌ ଗୋଲ୍‌ କେବଳ ମୁସା ଦେଇଛନ୍ତି। ଯାହାକି ଏକ ନାଇଜେରୀୟ କୀର୍ତିମାନ। ୨୦୧୪ରେ ଆର୍ଜେଣ୍ଟିନା ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌ରେ ଦଳର ୨-୩ ପରାଜୟରେ ସେ ଉଭୟ ଗୋଲ୍‌ ଦେଇଥିଲେ। ଦେଶ ପାଇଁ ବିଶ୍ୱକପ୍‌ରେ ତାଙ୍କ ପଛକୁ ଅଧିକ ଗୋଲ୍‌ (୨ ଲେଖାଏଁ) ଡାନିଏଲ୍‌ ଆମୋକାଚି, ଏମାନୁଏଲ୍‌ ଆମୁନିକେ (ଉଭୟ ୧୯୯୪) ଏବଂ କାଲୁ ଉଚେ (୨୦୧୦) ରହିଛନ୍ତି।

ସମ୍ବନ୍ଧିତ ଖବର