ନାଲ୍‌କୋ କପ୍‌ ହକିରୁ ସମ୍ବଲପୁର ବାଦ୍‌

ଭାଗ ନେବେ ସହିଦ ମାଧୋ ସିଂହ ଏକାଡେମି ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ

ସମ୍ବଲପୁର/କଟକ: ଶୁକ୍ରବାରଠୁ କଟକର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଉଥିବା ନାଲକୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାରେ ଏଥର ସହିଦ ମାଧୋ ସିଂହ ହକି ଏକାଡେମି ଦଳ ଭାଗ ନେବ। ଓଡ଼ିଶା ରାଜ୍ୟ ହକି ସଂଘର ସହଯୋଗୀ ସଦସ୍ୟଭାବେ ଏହି ହକି ଏକାଡେମି ଦଳକୁ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିଛି। ଯୁଯୁମୁରାରେ ପଡ଼ିବାକୁ ଥିବା ହକି ଟର୍ଫକୁ ଆଧାର କରି ଏହି ହକି ଏକାଡେମି ଗଠିତ ହୋଇଛି। ଏକାଡେମି ପକ୍ଷରୁ ଗତ ୪ ଦିନ ଧରି ଏଠାରେ ଏକ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ୧୬ ଜଣିଆ ଏକାଡେମି ଦଳ ବଛା ଯାଇଥିବା ସଂପାଦକ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି। ଖେଳାଳିମାନେ ହେଲେ ପ୍ରମୋଦ ସୁରିନ, ସୁରେଦାନ କାଙ୍ଗାରି, ମେଜେପ ଲୁଗୁନ, ଫିରମନ ଆଇନ୍ଦ, ସାଲନ ଜୋଜୋ, ଆପିଆନ ଭେଙ୍ଗରା, ଜେମ୍‌ସ ଡାଙ୍ଗ, ଗାବ୍ରିଏଲ କେରକେଟା, ଦୀପକ ଜୋଜୋ, ହୀରଣମୟ କାଣ୍ଡୁଲାନା, ସୁକରାମ ଡାଙ୍ଗ, ସୁଦ୍ରିଆନ କାଣ୍ଡୁଲାନା, ଜୋହନ ବାଗେ, ପ୍ରେମ ପ୍ରକାଶ ବାଗେ, ମାରକୁଶ ଟପ୍‌ନୋ (ପ୍ରଶିକ୍ଷକ), ଧରମଦାଶ ଟପ୍‌ନୋ (ପ୍ରବନ୍ଧକ)। ଅପର ପକ୍ଷରେ ରାଜ୍ୟ ହକି ସଂଘ ସହ ସଦସ୍ୟ ଦେୟ ତଥା ବାର୍ଷିକ ବୈଠକରେ ବଚସା ବିବାଦ ପରେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ସ୍ୱୀକୃତି ପ୍ରତ୍ୟାହାର କରାଯାଇଛି। ତେଣୁ ଏଥର ନାଲକୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମ୍ବଲପୁର ଜିଲ୍ଲା ଦଳକୁ ସୁଯୋଗ ମିଳି ନାହିଁ। ଜିଲ୍ଲାସ୍ତରରେ ମଧ୍ୟ କୌଣସି ହକି ପ୍ରତିଯୋଗିତା ହୋଇ ନାହିଁ।

ସମ୍ବନ୍ଧିତ ଖବର