ନାଲ୍‌କୋ କପ୍‌ ହକି :କଟକ, ଓଡ଼ିଶା ପୁଲିସ୍‌, ଆର୍‌ଏସ୍‌ପି, ସୁନ୍ଦରଗଡ଼, ପିପିଟି ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ନାଲ୍‌କୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାରେ ସୋମବାର କଟକ, ଓଡ଼ିଶା ପୁଲିସ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ସୁନ୍ଦରଗଡ଼ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ କଟକ ୪-୦ ଗୋଲରେ ଢେଙ୍କାନାଳକୁ ହରାଇଛି। ଚନ୍ଦ୍ରକାନ୍ତ ଜେନା ୨ଟି, ସନ୍ଦୀପ ଟପ୍ପୋ, ପୌଲସ୍‌ ଲାକ୍ରା ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ଜିତାଇଥିଲେ। ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ପୁଲିସ୍‌ ୩-୦ ଗୋଲରେ ପାନପୋଷ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ରୋଶନ ଭାଲା, ସିମନ ବାର୍ଲା, ସୁମନ ନିଙ୍ଗ୍‌ ଏହି ଗୋଲଗୁଡ଼ିକ ଦେଇଥିଲେ। ତୃତୀୟ ମ୍ୟାଚରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ୩-୧ ଗୋଲରେ ଝାରସୁଗୁଡ଼ାକୁ ହରାଇଛି। ଝାରସୁଗୁଡ଼ାର ନବିନ ପ୍ରଧାନ ପେନାଲ୍‌ଟି କର୍ଣ୍ଣରରେ ପ୍ରଥମ ଗୋଲ ଦେଇଥିଲେ। ତେବେ ଆର୍‌ଏସ୍‌ପିର ଜଭିରାମ ଲାଗୁନ, ଅମିତ କୁମାର ଟପ୍ପୋ, ଫ୍ରାନ୍ସେସ କୁଲୁଙ୍କ ତିନି ଗୋଲ ବଳରେ ଝାରସୁଗୁଡ଼ା ପରାଜିତ ହୋଇଥିଲା। ଚତୁର୍ଥ ମ୍ୟାଚରେ ସୁନ୍ଦରଗଡ଼ ୩-୧ ଗୋଲରେ ଜଗତସିଂହପୁରକୁ ମାତ୍‌ ଦେଇଛି। ବିଜୟୀ ଦଳର ବିଶ୍ୱଜିତ ବିଶ୍ୱାଳ ୧ ଓ ଆଶିଷ ବେହେରା ୨ଟି ଗୋଲ ଦେଇଥିଲାବେଳେ ବିପକ୍ଷ ଦଳର ତପନ ସ୍ୱାଇଁ ମାତ୍ର ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ଦିନର ଶେଷ ମ୍ୟାଚରେ ପାରାଦୀପ ପୋର୍ଟ ଟ୍ରଷ୍ଟ ୩-୦ ଗୋଲରେ ଗଞ୍ଜାମକୁ ହରାଇଛି। ସଲୋମନ ଲାକ୍ରା, ଜେମରିକ୍‌ ବରଓ୍ଵା, ନିଖିଲ ବାର୍ଲା ଏହି ଗୋଲଗୁଡ଼ିକ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର