ନାଲ୍‌କୋ ଓପନ୍‌, ଅଂଶୁଙ୍କୁ ଦ୍ବିମୁକୁଟ, ଅନମ ନୂଆ ବିଜୟିନୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୨୧ତମ ନାଲ୍‌କୋ ଓପନ୍‌ ଟେନିସ୍ ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦ୍‌ଯାପିତ ‌ହୋଇଯାଇଛି। ଆଇଟିଏଫ୍‌ ମାନ୍ୟତାପ୍ରାପ୍ତ ଅଂଶୁ କୁମାର ଭୂୟାଁ ଉଭୟ ଏକକ ଏବଂ ଯୁଗଳ ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ମହିଳା ଏକକରେ କିନ୍ତୁ ନୂଆ ବିଜୟିନୀ ଉଭା ହୋଇଛନ୍ତି ଅନମ ଅଲମାସ୍‌। ପୁରୁଷ ଏକକ ଫାଇନାଲରେ ଅଂଶୁ ୬-୧, ୬-୨ରେ କୁମାର ଅନୁରାଗ ସରଣଙ୍କୁ ପରାସ୍ତ କରି ହ୍ୟାଟ୍ରିକ୍‌ ସହ ପଞ୍ଚମ ଥର ଏହି ଟ୍ରଫି ଜିତିଛନ୍ତି। ୨୦୧୨ରେ ମାତ୍ର ୧୬ ବର୍ଷ ବୟସରେ ପ୍ରଥମଥର ନାଲ୍‌କୋ ଓପନ୍‌ ଜିତିଥିବା ଅଂଶୁ ୨୦୧୫, ୨୦୧୭, ୨୦୧୮ରେ ମଧ୍ୟ ବିଜେତା ହୋଇଥିଲେ। ରବିବାର ନିଜ ଗୁରୁ ଅଜୟ ନିଶଙ୍କଙ୍କୁ ସାଥି କରି ଅଂଶୁ ମଧ୍ୟ ପୁରୁଷ ଯୁଗଳ ଫାଇନାଲରେ ଆଶୁତୋଷ ଦାସ-ସତୀର୍ଥ ପଟ୍ଟନାୟକଙ୍କୁ ୬-୨, ୭-୫ରେ ହରାଇ ଦେଇଥିଲେ। ମହିଳା ଏକକ ଫାଇନାଲରେ କିନ୍ତୁ ୪ ଥର ବିଜୟିନୀ ଋତୁପର୍ଣ୍ଣା ଚୌଧୁରୀଙ୍କୁ ୭-୫, ୭-୫ରେ ପରାସ୍ତ କରି ଅନମ ଅଲମାସ୍‌ ନିଜ ଖେଳ ଜୀବନର ପ୍ରଥମ ନାଲ୍‌କୋ ଓପନ୍‌ ମୁକୁଟ ହାସଲ କରିଥିଲେ। ଏହି ବିଜୟ ମୋତେ ଅନେକ ଖୁସି ଦେଇଛି। ମୁଁ ଏହି ପ୍ରତିଯୋଗିତାକୁ ନିୟମିତ ଖେଳିପାରିନଥିଲେ ମଧ୍ୟ ଦିନେ ବିଜେତା ହେବାର ସ୍ବପ୍ନ ଦେଖିଥିଲି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ୧୮ ବର୍ଷୀୟା ଅନମ। ଖେଳ ଜୀବନର ପ୍ରାରମ୍ଭରେ ସନ୍ତୋଷ ମଲ୍ଲିକଙ୍କଠାରୁ ତାଲିମ ନେଇଥିବା ଅନମ ଏବେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଶୁଭ୍ରାଂଶୁ ଷଡ଼ଙ୍ଗୀଙ୍କ ଅଧିନରେ ପ୍ରଶିକ୍ଷଣ ନେଉଛନ୍ତି।

ଅନ୍ୟପକ୍ଷରେ କନିଷ୍ଠ ବର୍ଗରେ ଲଳିତ ଟୁଡୁ, ଡି ଆର୍ଯ୍ୟନ ସ୍ବାମୀ ଏବଂ ନେମାହ ସାରା କିସ୍‌ପୋଟା ଟ୍ରଫି ବିଜେତା ହୋଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ଫାଇନାଲରେ ଲଳିତ ୬-୦, ୬-୨ରେ କମଲେଶ ରଥଙ୍କୁ, ୧୬ ବର୍ଷରୁ କମ୍ ବାଳକରେ ଆର୍ଯ୍ୟନ୍‌ ୬-୧, ୬-୦ରେ ରବି ନାରାୟଣ ସାହୁଙ୍କୁ ଏବଂ ୧୪ ବର୍ଷରୁ କମ୍‌ ବାଳିକାରେ ନେମାହ ସାରା କିସ୍‌ପୋଟା ୬-୨, ୨-୬, ୬-୨ରେ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ସେହିଭଳି ୪୦+ ବୟସ ଯୁଗଳ ବର୍ଗ ଫାଇନାଲରେ ୧-୬ରେ ପଛୁଆ ଥାଇ ଝାଡ଼େଶ୍ବର ଦାସ-ପ୍ରଭଞ୍ଜନ ମଲ୍ଲିକ ଓହରିଯିବାରୁ ହିମାଦ୍ରୀ କାନୁନଗୋ-ଶାଶ୍ବତ ଜେନା ବିଜେତା ହୋଇଥିଲେ। ୫୦+ ବୟସ ଯୁଗଳ ବର୍ଗରେ ରାଜପାଲ୍ ସିଂହ-ରବୀନ୍ଦ୍ର ସେନାପତି ୯-୧ରେ ଜି ସୋରେନ୍‌-ସ୍ନେହାଶିଷ ବେହେରାଙ୍କୁ ଏବଂ ୬୦+ ବୟସ ବର୍ଗରେ ବିରଞ୍ଚି ନାରାୟଣ ମହାନ୍ତି-ଯୁଗାନନ୍ଦ ପଟ୍ଟନାୟକ ୯-୪ରେ ଜେ ଗନ୍ତା-ପ୍ରମୋଦ ପଟ୍ଟନାୟକଙ୍କୁ ହରାଇ ବିଜେତା ଟ୍ରଫି ହାସଲ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ଟାଟା ଷ୍ଟିଲ୍‌ର ସିଆର୍‌ଇ ଦେବାଶିଷ ଜେନା, ବିଡିଟିଏ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶାଶ୍ବତ ମିଶ୍ର ଉପସ୍ଥିତ ଥିଲେ। ରେଫରି ପ୍ରବୀଣ କୁମାର ନାୟକ ମ୍ୟାଚ୍‌ଗୁଡିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର