ରାମେଶ୍ବର କପ୍‌ କ୍ବାର୍ଟରରେ ନିମପୁର ସ୍ପୋର୍ଟିଂ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍‌ କନିଷ୍ଠ (୧୯ ବର୍ଷରୁ କମ୍‌) କ୍ରିକେଟ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପହଞ୍ଚିଯାଇଛି କଟକର ନିମପୁର ସ୍ପୋର୍ଟିଂ। ମଙ୍ଗଳବାର ଅନୁଷ୍ଠିତ ଶେ‌ଷ ପ୍ରି-କ୍ବାର୍ଟର ଫାଇନାଲରେ ନିମପୁର ଦଳ ୧୦୫ ରନ୍‌ରେ ନିଜ ସହରର ୟୁନିଅନ୍‌ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଅଜୟ ରାଉତ (୯୪, ୬୧ ବଲ), ମନୋରଞ୍ଜନ ଦାସ (୬୨, ୫୬ ବଲ)ଙ୍କ ଅର୍ଧଶତକ ବଳରେ ନିମପୁର ନିର୍ଧାରିତ ୪୦ ଓଭରରେ ୭ ୱିକେଟ୍ ହରାଇ ୨୫୬ ରନ୍ କରିଥିଲା। ପ୍ରତିପକ୍ଷର ତାପସ ଲେଙ୍କା (୨/୪୨) ସଫଳ ବୋଲର ରହିଥିଲେ। ଜବାବରେ ଦୀପକ ରଞ୍ଜନ ନାୟକ (୫୮, ୭୦ ବଲ)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ୟୁନିଅନ୍‌ ସ୍ପୋର୍ଟିଂ ୩୩.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୧ ରନ୍ କରିଥିଲା। ମହମ୍ମଦ ଦାନିସ୍‌ (୨/୨୨) ଭଲ ବୋଲିଂ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଧୁଆଁଧାର ପାଳି ପାଇଁ ଅଜୟ ରାଉତ (୯୪)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭୁବନେଶ୍ବର ଦୌଡ଼କୁଦ ସଂଘର ପ୍ରମୁଖ ସଦସ୍ୟ ଜୟନ୍ତ କୁମାର ରାଉତ ଏବଂ ସମାଜସେବୀ ଶୁଭଙ୍କର ସାହୁ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଜ୍ୟୋତି ରଂଜନ ବେହେରା, ନିହାର ରଂଜନ ପଟ୍ଟନାୟକ ଅମ୍ପାୟାର୍ ଥିଲେ। ରମଣୀ ଜେନା, କ୍ରିଷ୍ଣା ଆଚାର୍ଯ୍ୟ ସ୍କୋରର୍ ଦାୟିତ୍ବ ତୁଲାଇଥିଲେ। ବୁଧବାର ପ୍ରଥମ କ୍ବାର୍ଟର୍‌ ଫାଇନାଲ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ସ ଓ ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର