ନାରାୟଣ, ଅମିତ, ସୁନିତା, ସଂଜୟ ଓ ସୁଜିତ ପାଇଲେ ବିଜୁ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଏବଂ କ୍ରୀଡ଼ା ପ୍ରଶାସକଙ୍କୁ ସମ୍ମାନଜନକ ବିଜୁ ପଟ୍ଟନାୟକ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟରେ କ୍ରୀଡ଼ାର ପ୍ରଚାର ଏବଂ ପ୍ରସାର ପାଇଁ ଶ୍ରେଷ୍ଠ ଅବଦାନ  ଲାଗି ବ୍ରହ୍ମପୁରର ଭାରୋତ୍ତୋଳନ ସଂଗଠକ ନାରାୟଣ ସାହୁ ଏବଂ ଓଡ଼ିଶା ଖଣି ନିଗମକୁ ପୁରସ୍କୃତ କରାଯାଇଥିଲା। ଉଭୟ ୧ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପାଇଥିଲେ। ସେହିଭଳି ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ବର୍ଗ ପୁରସ୍କାର ଦୁଇ ହକି ତାରକା ଅମିତ ରୋହି ଦାସ ଏବଂ ସୁନିତା ଲାକ୍ରା ପାଇଥିଲେ। ତେବେ ଉଭୟ ଅମିତ ଏବଂ ସୁନିତା ସଂପ୍ରତି ଇଣ୍ଡୋନେସିଆରେ ଏସିଆ କପ୍‌ ଖେଳୁଥିବାରୁ ବ୍ୟକ୍ତିଗତ ଭାବେ ପୁରସ୍କାର ଗ୍ରହଣ କରି ପାରି ନଥିଲେ। ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମଙ୍କ ପ୍ରଶିକ୍ଷକ ସଂଜୟ ଗଡନାୟକ ଏବଂ  ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ଅଲ ଇଣ୍ଡିଆ ରେଡିଓର ସୁଜିତ ଦାସଙ୍କୁ ମିଳିଥିଲେ।  ଅମିତ ଓ ସୁନିତା ୨ ଲକ୍ଷ, ସଂଜୟ ୧ ଲକ୍ଷ ଏବଂ ସୁଜିତ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିହୀନ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଦଳର ସଦସ୍ୟ ଜାଫର ଇକବାଲ ଏବଂ ପଙ୍କଜ ଭୂଏଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସେହିଭଳି ଏଭରେଷ୍ଟ ବିଜୟୀ ଚେତନା ସାହୁ ଏବଂ ସ୍ୱର୍ଗତ ପ୍ରଦୀପ ସାହୁଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ। ପ୍ରଦୀପଙ୍କ ତରଫରୁ ତାଙ୍କ ମା’ ଚେକ୍‌ ଗ୍ରହଣ କରିଥିଲେ। ଏହାଛଡ଼ା ମମତା ଦଲାଲ, ପଙ୍କଜ କୁମାର ମହାନ୍ତ, ବିଶ୍ୱଜିତ ପୁହାଣ ବିଜୁ ପଟ୍ଟନାୟକ ସାହାସିକ ପୁରସ୍କାର ହାସଲ କରିଥିଲେ। ସମାଜସେବା କ୍ଷେତ୍ରରେ ଉକୃଷ୍ଟ ଅବଦାନ ଲାଗି ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରିୟବ୍ରତ ପଣ୍ଡା, ଏନ୍‌ ସନ୍ତୋଷ କୁମାର ଓ ଖିରୋଦ ସାହୁ ସମ୍ବର୍ଧିତ ହୋଇଥିଲେ।  ପୂର୍ବତନ ସାଂସଦ ଏବଂ ରାଜ୍ୟ ହକିର ଗର୍ବ ଓ ଗୌରବ ଦିଲ୍ଲୀପ ତିର୍କି ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଏବଂ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିିତ ଥିଲେ।

ସମ୍ବନ୍ଧିତ ଖବର