ଭାରତ ବିପକ୍ଷରେ ଖେଳିବେ ନରିନ୍‌ ଓ ପୋଲାର୍ଡ

ଟ୍ବେଣ୍ଟି-୨୦ ଶୃଙ୍ଖଳା

କିଙ୍ଗ୍‌ଷ୍ଟନ୍‌: ଭାରତୀୟ କ୍ରିକେଟ୍‌ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ତା’ର ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ ଆରମ୍ଭ କରିବ। ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବେ। ତେବେ ଏହି ତିନିଟିଯାକ ମ୍ୟାଚ୍‌ ଆମେରିକାରେ ହିଁ ଖେଳି ଭାରତ ୱେଷ୍ଟଇଣ୍ଡିଜ୍‌ ଯାତ୍ରା କରିବ। ଅଗଷ୍ଟ ୩ ଓ ୪ ତାରିଖରେ ଲଡରହିଲ୍‌ରେ ଏବଂ ୬ ତାରିଖରେ ପ୍ରୋଭିନ୍‌ସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍‌ ଦଳ ଘୋଷିତ ହୋଇଛି। କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ଙ୍କ ନେତୃତ୍ବରେ ଘୋଷିତ ୧୪ ଜଣିଆ ଦଳକୁ ସ୍ପିନର ସୁନିଲ ନରିନ୍‌ ଏବଂ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡଙ୍କୁ ଡକରା ମିଳିଛି। ନରିନ୍‌ ପାଖାପାଖି ୨ ବର୍ଷ ତଳେ ଶେଷ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଏବେ ସେ ଜାତୀୟ ଦଳକୁ ଫେରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ। ସେହିପରି ବିଶ୍ବ ସାରା ବୁଲି ବୁଲି ଟ୍ବେଣ୍ଟି-୨୦ ଲିଗ୍‌ ଖେଳୁଥିବା ପୋଲାର୍ଡ ମଧ୍ୟ ଫିଟ୍‌ ଅଛନ୍ତି ଏବଂ ମାନସିକ ଭାବେ ପ୍ରସ୍ତୁତ ଥିବାରୁ ଆମେ ଉଭୟଙ୍କୁ ଜାତୀୟ ଦଳରେ ସାମିଲ କରିଛୁ ବୋଲି କହିଛନ୍ତି ମନୋନୟନ କମିଟି ଅଧ୍ୟକ୍ଷ ରବର୍ଟ ହେନ୍‌ସ। ଏହି ଦୁଇ ଜଣଙ୍କ ପ୍ରତ୍ୟାବର୍ତନ ସହିତ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଆନ୍ଥୋନି ବ୍ରାମ୍ବଲେ ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ତେବେ ଆହତ ଯୋଗୁଁ ବିଶ୍ବକପ୍‌ ଅଧାରୁ ଓହରି ଯାଇଥିବା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ମାତ୍ର ତାଙ୍କ ଖେଳିବା ଫିଟ୍‌ନେସ୍‌ ଉପରେ ନିର୍ଭର କରିବ ବୋଲି ଇଣ୍ଡିଜ୍‌ ବୋର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କାନାଡାରେ ଜି ଟ୍ବେଣ୍ଟି-୨୦ ଖେଳିବା ଯୋଗୁଁ କ୍ରିସ୍‌ ଗେଲ୍‌ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜନ୍‌ କାମ୍ପ୍‌ବେଲ୍‌ ପାଳି ଆରମ୍ଭ କରିବା ସୁଯୋଗ ପାଇପାରନ୍ତି। ଆବଶ୍ୟକ ପଡ଼ିଲେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ପାଇଁ ଦଳରେ ପରିବର୍ତନ କରାଯାଇପାରେ ବୋଲି ମନୋନୟନକର୍ତା କହିଛନ୍ତି।
ୱେଷ୍ଟଇଣ୍ଡିଜ୍‌ ଦଳ: କାଲୋର୍ସ୍‌ ବ୍ରାଥ୍‌ୱେଟ୍‌ (ଅଧିନାୟକ), ଆନ୍ଥୋନି ବ୍ରାମ୍ବଲେ (ୱିକେଟ୍‌ରକ୍ଷକ), ଜନ୍‌ କାମ୍ପବେଲ୍‌, ସେଲ୍‌ଡନ୍‌ କୋଟ୍ରେଲ, ସିମ୍ରନ୍‌ ହେଟ୍‌ମେୟର, ଇଭିନ୍‌ ଲୁଇସ୍‌, ସୁନିଲ ନରିନ୍‌, କିମୋ ପଲ୍‌, ଖାରି ପିଏରେ, କିରଣ ପୋଲାର୍ଡ, ନିକୋଲାସ୍‌ ପୂରନ୍‌ (ୱିକେଟ୍‌ରକ୍ଷକ), ରୋଭ୍‌ମାନ ପାୱେଲ, ଆନ୍ଦ୍ରେ ରସେଲ୍‌ ଓ ଓସାନେ ଥୋମାସ୍‌।

ସମ୍ବନ୍ଧିତ ଖବର