ଜାତୀୟ ଅସିଚାଳନା ପ୍ରତିଯୋଗିତା: ଦ୍ୱିତୀୟ ଦିନ ମଣିପୁର, ମହାରାଷ୍ଟ୍ରର ଆଧିପତ୍ୟ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଅସିଚାଳନା ପ୍ରତିଯୋଗିତାର ଦ୍ୱିତୀୟ ଦିନ ମଣିପୁର ଓ ମହାରାଷ୍ଟ୍ର ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ସବରରେ ମହାରାଷ୍ଟ୍ରର ଆଦିତ୍ୟ ଅଙ୍କୁଶ ଓ୍ଵାହୁଲ୍‌ ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ସେ ଜ୍ଞାନ ପ୍ରକାଶଙ୍କୁ ୧୫-୧୩ରେ ପରାସ୍ତ କରିଥିଲେ। ହରିୟାଣାର ନିଶ୍ଚୟ ଓ ଦିଲ୍ଲୀର ଅମନ ତୋମାର ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ବାଳିକା ସବରରେ ମହାରାଷ୍ଟ୍ରର କଶିଷ ଦୀପକ ଭରଦ ୧୫-୬ରେ ମଣିପୁରର ଲାବି ଦେବୀଙ୍କୁ ହରାଇ ବିଜେତା ହୋଇଥିଲେ। ମହାରାଷ୍ଟ୍ରର ଗୌରୀ ମଙ୍ଗଳସିଂହ ସୋଲାଙ୍କି ଓ ମଣିପୁରର ଏନ୍‌ ଜେସି ତୃତୀୟ ହୋଇଥିଲେ। ୧୪ ବର୍ଷରୁ କମ୍‌ ବାଳକ ଫଏଲ୍‌ରେ ମଣିପୁରର ଲୋୟୁମ୍ବା ନିଜ ରାଜ୍ୟର ଓକେ ରୋନେଲ୍‌ଙ୍କୁ ୧୫-୧୩ରେ ହରାଇ ବିଜେତା ହୋଇଥିଲେ। ମଣିପୁରର ସିଏଚ୍‌ ରୋନେଲ୍‌ ଓ କେରଳର ଅଭିଷେକ ପିଏସ୍‌ ତୃତୀୟ ସ୍ଥାନରେ ରହିଥିଲେ। କ୍ୟାଡେଟ୍‌ ବାଳିକା ଫଏଲ୍‌ ଫାଇନାଲ୍‌ରେ ମଣିପୁରର ଏଲ୍‌ ଖୁସ୍‌ବୁରାଣୀ ୧୫-୮ରେ ଜଏସ୍‌ ଆସିଥାଙ୍କୁ ହରାଇଥିଲେ। ମଣିପୁରର ଡବ୍ଲୁ ସୋନିଆ ଓ କର୍ଣ୍ଣାଟକର ସୟଦା ତୃତୀୟ ହୋଇଛନ୍ତି। କ୍ୟାଡେଟ୍‌ ବାଳକ ଇପିରେ ଛତିଶଗଡ଼ର ସେରଜିନ୍‌ ରାଜେନ୍ଦ୍ରନ୍‌ ଶାନ୍ତିମଲ୍‌ ୧୫-୧୦ରେ ଶିବ ମଗେଶ ସଦାସିବନ୍‌ ନିର୍ମଳଙ୍କୁ ହରାଇ ବିଜେତା ହୋଇଥିଲେ। ତୃତୀୟ ସ୍ଥାନରେ ଜମ୍ମୁ କାଶ୍ମୀରର ସାହିବାନ୍‌ ସିଂହ ଓ ହରିୟାଣାର ଶୁଭମ୍‌ ରହିଥିଲେ।

ସମ୍ବନ୍ଧିତ ଖବର