ଜାତୀୟ ଦୌଡ଼କୁଦ ଓଡ଼ିଆଙ୍କ ବଢ଼ିଆ ଦିନ, ଦିନକେ ଦି’ଥର ଦୂତିଙ୍କ କୀର୍ତ୍ତିମାନ

୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ, ସ୍ୱର୍ଣ୍ଣ ସହ ପୂର୍ଣ୍ଣିମାଙ୍କୁ ଏସୀୟ ଯୋଗ୍ୟତା

କଟକ: ଓଡ଼ିଆ ଧାବିକା ଦୂତି ଚାନ୍ଦ ଗୋଟିଏ ଦିନରେ ଦୁଇଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏପରିକି ଗତବର୍ଷର ନିଜ କୀର୍ତ୍ତିମାନକୁ ମଧ୍ୟ ସେ ଭାଙ୍ଗିବାରେ ସଫଳ ହୋଇଛନ୍ତି। ପ୍ରଥମେ ୧୦୦ ମିଟର ଦୌଡ଼ରେ ଗୁରୁବାରଠୁ ଏସୀୟ ଯୋଗ୍ୟତା ହାସଲ କରିସାରିବା ପରେ ଶୁକ୍ରବାର ସେମିଫାଇନାଲ୍‌ ହିଟ୍ସରେ ସେ ୧୧.୨୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଫଳରେ ଗତବର୍ଷ ଦିଲ୍ଲୀରେ ସେ ନିଜେ ସ୍ଥାପନ କରିଥିବା ୧୧.୩୦ ସେକେଣ୍ଡର କୀର୍ତ୍ତିମାନକୁ ଭାଙ୍ଗିଥିଲେ। କେବଳ ଏତିକି ନୁହେଁ ୨୦୧୪ରେ ଲକ୍ଷ୍ନୌରେ ଶ୍ରଦ୍ଧା ନାରାୟଣନ୍‌ ସ୍ଥାପନ କରିଥିବା ୧୧.୩୯ ମିଟ୍‌ କୀର୍ତ୍ତିମାନକୁ ବି ଦୂତି ଭାଙ୍ଗିବାରେ ସଫଳ ହୋଇଥିଲେ। ଫାଇନାଲ୍‌ରେ ଦୂତି ସାମାନ୍ୟ ଧୀମା ପଡ଼ିଯାଇଥିଲେ ବି ୧୧.୩୨ ସେକେଣ୍ଡରେ ନିଜ କୀର୍ତ୍ତିମାନ କାୟମ ରଖିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ମଣିପୁରର ରଙ୍ଗା କେ. ୧୧.୭୦ ସେକେଣ୍ଡ ସହ ରୌପ୍ୟ ଓ କର୍ଣ୍ଣାଟକର ରୀନା ଜର୍ଜ ୧୧.୭୭ ସେକେଣ୍ଡ ସହ କାଂସ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ଆହତ ଯୋଗୁଁ ଶ୍ରାବଣୀ ନନ୍ଦ ସେମି ଫାଇନାଲ୍‌ରୁ ଓହରିଯାଇଥିଲେ। ମହିଳା ହେପ୍‌ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଆର୍ଜନ କରିଛନ୍ତି। ଶୁକ୍ରବାର ହେପ୍‌ଟାଥଲନ୍‌ରେ ସେ ମୋଟ ୫୮୯୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ମାନଦଣ୍ଡ ୫୪୦୦ ପଏଣ୍ଟ ଥିବାବେଳେ ପୂର୍ଣ୍ଣିମା ଏହାଠୁ ଢେର୍‌ ଆଗରେ ରହିଥିଲେ। ସେଥିମଧ୍ୟରୁ ୧୦୦ ମିଟର ବାଧାଦୌଡ଼ରୁ ୧୦୧୦ ପଏଣ୍ଟ, ଉଚ୍ଚ ଡିଆଁରେ ୯୧୬, ସଟ୍‌ପୁଟ୍‌ରେ ୬୪୯, ୨୦୦ ମିଟର ଦୌଡ଼ରେ ୮୯୬, ଲମ୍ବଡିଆଁରେ ୮୨୮, ଜାଭେଲିନ୍‌ରେ ୭୪୭ ଓ ୮୦୦ ମିଟର ଦୌଡ଼ରେ ୮୫୨ ପଏଣ୍ଟ ସଂଗ୍ରହ କରିଥିଲେ। ତେବେ ୪୦୦ ମିଟର ଦୌଡ଼ ଫାଇନାଲ୍‌ରେ ଜଉନା ମୁର୍ମୁ ୫୩.୪୨ ସେକେଣ୍ଡ ସହ ପଞ୍ଚମ ସ୍ଥାନରେ ରହିଥିଲେ। ୧୦୦ ମିଟର ବାଧାଦୌଡ଼ ହିଟ୍ସରେ ପ୍ରଜ୍ଞା ପ୍ରଶାନ୍ତୀ ସାହୁ ୧୫.୧୯ ସେକେଣ୍ଡ ସମୟ ନେଇ ଚତୁର୍ଥ ସ୍ଥାନରେ ରହିବାରୁ ଫାଇନାଲ୍‌ରୁ ବାଦ୍‌ ପଡ଼ିଥିଲେ।

ସମ୍ବନ୍ଧିତ ଖବର