ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ମାସେ ଘୁଞ୍ଚିଲା

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଫୁଟ୍‌ବଲ୍‌ ସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଢେଙ୍କାନାଳରେ ଏହି ପ୍ରତିଯୋଗିତା ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ମହାସଂଘର ଆମନ୍ତ୍ରଣ ପାଇଁ ଅନେକ ରାଜ୍ୟ ଫୁଟ୍‌ବଲ୍‌ ଟେନିସ୍‌ ସଂଘ ଢେଙ୍କାନାଳ ଆସିବା ପାଇଁ ରେଳ ଟିକେଟ୍‌ କରି ସାରିଥିଲେ। ମାତ୍ର ଲକ୍ଷ୍ମୀପୂଜା ଢେଙ୍କାନାଳର ବଡ଼ ଉତ୍ସବ ହୋଇଥିବାରୁ ଏହି ମାସରେ ଜାତୀୟ ପ୍ରତିଯୋଗିତା ଆୟୋଜନର ସଫଳତାକୁ ନେଇ ସ୍ଥାନୀୟ ବ୍ୟକ୍ତି ବିଶେଷ ସଂନ୍ଦେହ ପ୍ରକଟ କରିଥିଲେ। ଶେଷରେ ସ୍ଥାନୀୟ ସଂଗଠକମାନେ ଜିଲ୍ଲାପାଳଙ୍କ ପରାମର୍ଶ ଲୋଡ଼ିଥିଲେ। ରାଜ୍ୟ ସଂଘର କର୍ମକର୍ତ୍ତା ଧାର୍ଯ୍ୟ ସୂଚୀରେ ପରିବର୍ତନ ପାଇଁ ମହାସଂଘର କର୍ମକର୍ତ୍ତାଙ୍କୁ ଅକ୍ଟୋବର ୧ ତାରିଖ ଦିନ ଅନୁରୋଧ କରିଥିଲେ। ମହାସଂଘର ସାଧାରଣ ସଂପାଦକ ସହଦେବ ରାଉତ ରାଜ୍ୟ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ସଂଗଠନ କମିଟିର ଅନୁରୋଧ ରକ୍ଷା କରି ଜାତୀୟ ପ୍ରତିଯୋଗିତାକୁ ଆସନ୍ତା ମାସକୁ ଘୁଞ୍ଚାଇବା ପାଇଁ ରାଜି ହୋଇଥିଲେ। ଫଳରେ ପରିବର୍ତିିତ ସୂଚୀ ଅନୁଯାୟୀ ଏହି ଜାତୀୟ ପ୍ରତିଯୋଗିତା ଆକ୍ଟୋବର ପରିବର୍ତେ ନଭେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏନେଇ ମହାସଂଘ ପକ୍ଷରୁ ସମସ୍ତ ରାଜ୍ୟ ସଂଘକୁ ଚିଠି ଦ୍ୱାରା ସୋମବାର ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର