ଗୋଆରେ ଜାତୀୟ କ୍ରୀଡ଼ା!

ପାନାଜୀ : ଗୋଆରେ ୩୬ତମ ଜାତୀୟ କ୍ରୀଡ଼ା ଆୟୋଜନ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଚଳିତ ବର୍ଷ ଶେଷ ଆଡ଼କୁ ଗୋଆ ‌ଏହାକୁ ଆୟୋଜନ କରିପାରିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଫଳରେ ଗୋଆ ସରକାରଙ୍କୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବଂ ଜାତୀୟ କ୍ରୀଡ଼ା ବୈଷୟିକ ପରିଚାଳନା ସମିତିର ଅଧ୍ୟକ୍ଷ ମୁକେଶ କୁମାରଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆଇଓଏ ଏହି ନିଷ୍ପତ୍ତି ନେଇଛି। ଆଇଓଏ ମହାସଚିବ ରାଜୀବ ମେହେଟ୍ଟାଙ୍କ ଅଧିକାରୀ ଭାବେ ମୁକେଶ କୁମାର ଏହି ବୈଠକରେ ଯୋଗ ଦେଇଥିଲେ। ମାର୍ଚ-ଏପ୍ରିଲ୍‌ରେ ନିର୍ବାଚନ ଥିବାରୁ ଏହି ପ୍ରତିଯୋଗିତା ସେହି ସମୟରେ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଆଇଓଏର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପାରିକର ବୁଝାଇ ଦେଇଥିଲେ। ପୁଣି ‌‌ମୌସୁମୀ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିବାରୁ ଏହା ମଧ୍ୟରେ ଆମକୁ ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ବି ଅସୁବିଧା ହେବ। ଏଥିପାଇଁ ନଭେମ୍ବର ମାସ ଠିକ୍‌ ସମୟ ବୋଲି ଆଇଓଏକୁ ଅବଗତ କରାଇଥିଲୁ ବୋଲି ଗୋଆ ଅଲିମ୍ପିକ୍‌ ସଂଘର ସାଧାରଣ ସମ୍ପାଦକ ଗୁରୁଦତ୍ତ ଭକ୍ତ କହିଛନ୍ତି। ଏହାକୁ ପ୍ରାୟତଃ ଆଇଓଏ ଗ୍ରହଣ କରିଛି। ଫଳରେ ଜାତୀୟ କ୍ରୀଡ଼ା ଗୋଆରେ ହେବା ନେଇ ଅନିଶ୍ଚିତତା ଆପାତତଃ ଟଳି ଯାଇଛି।

ସମ୍ବନ୍ଧିତ ଖବର