ଜାତୀୟ ହକି ପ୍ରତିଯୋଗିତା: ହାଇକୋର୍ଟ କହିଲେ ‘ଓଡ଼ିଶାକୁ ଖେଳାଅ’

କଟକ: ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳରେ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଭିନ୍ନ କାରଣ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଖେଳାଳିଙ୍କ ପଞ୍ଜୀକରଣ ହୋଇ ପାରିନଥିଲା ଏବଂ ଏଥିପାଇଁ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ହକି ଦଳ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ହାଇକୋର୍ଟଙ୍କ ନିର୍ଦେଶ ପରେ ତାହା ଆପାତତଃ ଦୂରୀଭୂତ ହୋଇଛି। ହାଇକୋର୍ଟରେ ହକି ଓଡ଼ିଶା ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ୍ କେଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଅନ୍ତରୀଣ ନିର୍ଦ୍ଦେଶ ଦେଇ ଓଡ଼ିଶାକୁ ଜାତୀୟ ପ୍ରତିଯୋଗିତାରେ ଖେଳିବା ସୁଯୋଗ ଦେବାକୁ ହକି ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଫଳରେ ହକି ହବ୍ ଓଡ଼ିଶା ଜାତୀୟ ପ୍ରତିଯୋଗିତାରେ ଅନୁପସ୍ଥିତ ରହିବାର ଆଶଙ୍କା ଟଳିଛି।

Hindustan Times

ଚଳିତ ବର୍ଷ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ହକି ପ୍ରତିଯୋଗିତାର ‘ଏ’ ଡିଭିଜନରେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଥିଲେ। ଉଭୟ ଆସନ୍ତା ୨୩ ଓ ୩୦ରେ ନିଜ ନିଜ ଅଭିଯାନ ଆରମ୍ଭ କରିଥାଆନ୍ତେ। ତେବେ ଖେଳାଳିଙ୍କ ବିଷୟରେ ସବିଶେଷ ତଥ୍ୟ ଦେବାକୁ ହକି ଇଣ୍ଡିଆ ଦେଇଥିବା ନିର୍ଦେଶକୁ ପାଳନ କରି ପାରି ନଥିଲା ହକି ଓଡ଼ିଶା। ଫଳରେ ଏହି ଦୁଇ ପ୍ରତିଯୋଗିତାରୁ ହକି ଇଣ୍ଡିଆ ଓଡ଼ିଶାକୁ ବାଦ୍ ଦେଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଖେଳାଳିଙ୍କ ପଞ୍ଜୀକରଣ ହୋଇ ନପାରିବାରୁ ଓଡ଼ିଶାର ପୁରୁଷ ଓ ମହିଳା ହକି ଦଳ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବଞ୍ଚିତ ହେବା ଏକ ପ୍ରକାର ନିଶ୍ଚିତ ଥିଲା। ପ୍ରତିଯୋଗିତା ପୂର୍ବରୁ ଖେଳାଳିଙ୍କ ପଞ୍ଜୀକରଣ ପାଇଁ ହକି ଇଣ୍ଡିଆ ପକ୍ଷରୁ ଗତ ସେପ୍ଟେମ୍ବର ୬ରୁ ଏମ୍‌ୟୁ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏଥିରେ ଖେଳାଳିଙ୍କ ନାମ ପଞ୍ଜୀକରଣ ସହିତ କେତେକ ଆବଶ୍ୟକ କାଗଜପତ୍ର ମଧ୍ୟ ଅପଲୋଡ୍ କରାଯିବାର ଥିଲା। ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଓଡ଼ିଶା ସମେତ ୧୦ ସଂଘ ସେମାନଙ୍କ ଖେଳାଳିଙ୍କ ନାମ ପଞ୍ଜୀକରଣ କରାଇ ପାରି ନଥିଲେ। ଫଳରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ହକି ଦଳ ସହିତ ଆସାମ ହକି, ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ, ହକି ଭୋପାଳ, ହକି କୁର୍ଗ ଓ ଅନ୍ୟ କେତେକ ସଂଘ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେବା ସହିତ ଓଡ଼ିଶାର ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏଥିସହିତ ମାମଲାରେ ପ୍ରତିପକ୍ଷ କେନ୍ଦ୍ର ସରକାର ଓ ହକି ଇଣ୍ଡିଆକୁ ଖଣ୍ଡପୀଠ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀ ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀଙ୍କ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ହକି ଇଣ୍ଡିଆ ଜାତୀୟ ବରିଷ୍ଠ ମହିଳା ପ୍ରତିଯୋଗିତା କେରଳର କୋଲାମଠାରେ ଚଳିତ ମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବରିଷ୍ଠ ପୁରୁଷ ଜାତୀୟ ପ୍ରତିଯୋଗିତା ଉତ୍ତରପ୍ରଦେଶର ଝାନ୍‌ସୀରେ ଆସନ୍ତା ୨୩ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର