ଜାତୀୟ ହକି: ଗାଙ୍ଗ୍‌ପୁର ହାରିଲା

ନୀଲମଙ୍କ ହ୍ୟାଟ୍ରିକ୍‌ରେ ଜିତିଲା ଓଡ଼ିଶା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅଷ୍ଟମ ଜାତୀୟ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ର ପୁଲ୍‌-ଏରେ ସ୍ଥାନ ପାଇଥିବା ହକି ଓଡ଼ିଶା ରବିବାର ଦ୍ୱିତୀୟ ବିଜୟ ପାଇଛି। ଅନ୍ୟପକ୍ଷରେ ପୁଲ୍‌-ବିରେ ଥିବା ହକି ଗାଙ୍ଗପୁର-ଓଡ଼ିଶା ଦ୍ୱିତୀୟ ପରାଜୟ ବରଣ କରିଛି। ରେଲେଓ୍ଵ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ (ଆର୍‌ଏସ୍‌ପିବି)ଠୁ ୯-୧ ଗୋଲ୍‌ରେ ହାରି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଶୁକ୍ରବାର ୩-୨ରେ ଭୋପାଳକୁ ଏବଂ ରବିବାର ୪-୨ରେ ମଧ୍ୟ ପ୍ରଦେଶକୁ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ ଖେଳିବା ଆଶା ସଞ୍ଚାର କରିଛି। ଓଡ଼ିଶା ପକ୍ଷରୁ ନୀଲମ ସଞ୍ଜୀବ ଖେସ୍‌ (୧୫, ୧୯, ୫୫ ମିନିଟ୍‌) ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲା ବେଳେ ୫୭ ମିନିଟ୍‌ରେ ଅଶୋକ ଲାକ୍ରା ଗୋଟିଏ ଗୋଲ୍‌ ଦେଇଥିଲେ। ଓଡ଼ିଶା ୨୦ ତାରିଖ ଶେଷ ଲିଗ୍‌ ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ଭେଟିବ। ଅନ୍ୟପକ୍ଷରେ ଗାଙ୍ଗ୍‌ପୁର ଦଳ ରବିବାର ୨-୩ ଗୋଲ୍‌ରେ ହରିଆନାଠୁ ହାରି କ୍ୱାର୍ଟର୍‌ ଫାଇନାଲ୍‌ରୁ ପ୍ରାୟତଃ ବିଦାୟ ନେଇଛି। ପୂର୍ବରୁ ଏହି ଦଳ ଏୟାର ଇଣ୍ଡିଆ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ (ଏଆଇଏସ୍‌ପିବି)ଠୁ ୦-୨ ଗୋଲ୍‌ରେ ହାରିବା ପରେ ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌ ସହ ୧-୧ରେ ଅମୀମାଂସିତ ରଖିଥିଲା। ଫଳରେ ଗାଙ୍ଗପୁର ଦଳ ୩ ମ୍ୟାଚ୍‌ରୁ ୧ ପଏଣ୍ଟ୍‌ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଗାଙ୍ଗପୁର ପକ୍ଷରୁ ଗୋଲ୍‌ ଦୁଇଟି ରୋସନ ମିଞ୍ଜ୍‌ ଦେଇଥିଲେ। ରବିବାର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଭାରତୀୟ କ୍ରମ୍ପ୍‌ଟ୍ରୋଲ୍‌ ଆଣ୍ଡ୍‌ ଅଡିଟର ଜେନେରାଲ ଓ ହକି ଚଣ୍ଡୀଗଡ଼ (୧-୧), ପଞ୍ଜାବ ଓ ମୁମ୍ବାଇ (୩-୩) ଏବଂ ପଞ୍ଜାବ-ସିନ୍ଦ୍‌ ବ୍ୟାଙ୍କ୍‌ ଓ ଏଆଇଏସ୍‌ପିବି (୨-୨) ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲେ। ନାମଧାରୀ ଏକାଦଶ ୨-୦ରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘକୁ, ଆର୍‌ଏସ୍‌ପିବି ୫-୦ରେ ଉତ୍ତର ପ୍ରଦେଶକୁ ଏବଂ କର୍ଣ୍ଣାଟକ ୩-୧ ଗୋଲ୍‌ରେ ଏସ୍‌ଏସ୍‌ସିବିକୁ ପରାସ୍ତ କରି ପୂର୍ଣ୍ଣ ପଏଣ୍ଟ୍‌ ହାତେଇଥିଲା।

ସମ୍ବନ୍ଧିତ ଖବର