କର୍କଟ ଯୁଦ୍ଧରେ ହାରିଗଲେ ଉଦୀୟମାନ ହକି ତାରକା ଦୀପକ

ରାଉରକେଲା: ଗାଁର ଧୂଳି ମାଟିରୁ ହକି ଖେଳ ଆରମ୍ଭ କଲାବେଳେ ଆଖିରେ ଥିଲା ଆଖିଏ ସ୍ବପ୍ନ। ସ୍ବପ୍ନକୁ ସାକାର କରିବାକୁ ଅତି କଅଁଳ ବୟସରେ ହାତରେ ହକି ଷ୍ଟିକ୍‌ ଧରିବା ପରଠାରୁ ଆଉ ପଛକୁ ଫେରି ନ ଥିଲେ ସେ। ଜାତୀୟସ୍ତରରେ ଖେଳିବାପରେ ଭାରତୀୟ ଦଳରେ ସାମିଲ ହେବାକୁ କଡ଼ା ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର ଏହି ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। ମାତ୍ର ୨୫ ବର୍ଷ ବୟସରେ କର୍କଟ ଯୁଦ୍ଧରେ ହାରିଗଲେ କୁଆଁରମୁଣ୍ଡା ବ୍ଲକ ଜାଏଡେଗାର ମୂଳବାସିନ୍ଦା ତଥା ଓଡ଼ିଶାକୁ ବହୁବାର କନିଷ୍ଠ ଓ ଉପକନିଷ୍ଠ ବର୍ଗରେ ପ୍ରତିନିଧିତ୍ବ କରିଥିବା ଦୀପକ ଲୁଗୁନ। ପ୍ରତିଦ୍ବନ୍ଦୀଙ୍କୁ ହକି ପଡ଼ିଆରେ ଏକାକି ମାତ୍‌ ଦେଇଥିବା ଦୀପକ ଦୀର୍ଘ ଦେଢ଼ ବର୍ଷ ଧରି କ୍ୟାନ୍‌ସରକୁ ପରାହତ କରିବାକୁ ଲଢ଼ିଥିଲେ; ହେଲେ ଶେଷରେ ସେ ହାରିଗଲେ। ଏଇ ନଭେମ୍ବର ୧୫ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୭ ମିନିଟରେ ତାଙ୍କ ଅକାଳ ବିୟୋଗ ହୋଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକି ଶିଖିବା ପରେ ୨୦୧୨ରେ ଦୀପକ ପ୍ରଥମଥର ପାଇଁ ଜାତୀୟସ୍ତରର ମ୍ୟାଚ ଖେଳିଥିଲେ। ଅନେକବାର ଉପକନିଷ୍ଠ, କନିଷ୍ଠ ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ବ ମଧ୍ୟ କରିଥିଲେ। ନିଜର ଉନ୍ନତମାନର କ୍ରୀଡ଼ା ପାଇଁ ୨୦୧୪ ଅଗଷ୍ଟ ମାସରେ ପୂର୍ବତଟ ରେଳବାଇ ଭୁବନେଶ୍ବର ମୁଖ୍ୟାଳୟରେ ନିଯୁକ୍ତି ମିଳିଥିଲା। ବିଭିନ୍ନ ସମୟରେ ଦୀପକଙ୍କ ପେଟ ବ୍ୟଥା ହେଉଥିଲେ ସୁଦ୍ଧା ସେ ଖେଳ ଜାରି ରଖିଥିଲେ। ୨୦୧୭ ମାର୍ଚ୍ଚ ମାସରେ କଟକରେ ଚାଲିଥିବା ଅନ୍ତଃଜିିଲ୍ଲା ହକି ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ପେଟ ଯନ୍ତ୍ରଣା ସୀମା ଟପିଥିଲା। ଫଳରେ ସେ ସେମିଫାଇନାଲ ମ୍ୟାଚ୍‌ ଖେଳି ପାରି ନ ଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ରେଲୱେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଏପ୍ରିଲ ୪ ତାରିଖରେ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କଲାପରେ ପେଟରେ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ପରେ ଦୀପକଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍‌ କ୍ୟାନ୍‌ସର୍ ହସ୍‌ପିଟାଲରେ ଚିକିତ୍ସା ପ୍ରଦାନ କରାଯାଇଥିଲା। ରୋଗ ବହୁତ ଆଗେଇ ଯାଇଥିବାରୁ ମୋଟ୍‌ ୮ଟି କେମୋଥେରାପି ଦିଆଯିବା ସତ୍ବେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ଫଳରେ ଡାକ୍ତରମାନେ ମଧ୍ୟ ଆସ୍ଥା ହରାଇ ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଡାକ୍ତରଖାନାରୁ ଯିବାଲାଗି ଅନୁମତି ଦେଇଥିଲେ। ‌ସେବେଠାରୁ ଦୀପକ ଘରେ ରହିଥିଲେ। ଗତ ୧୧ ତାରିଖରେ ପେଟ ଯନ୍ତ୍ରଣା ପୁଣି ଅସମ୍ଭାଳ ହେବାରୁ ତାଙ୍କୁ ଜଗଦା ସ୍ଥିତ ସିଡବ୍ଲ୍ୟୁଏସ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୫ ତାରିଖରେ ତାଙ୍କ ପରଲୋକ ଘଟିଛି।

ହକି ପରିବାର: ଦୀପକଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟ ହକି ଖେଳ ସହ ଜଡ଼ିତ। ବାପା ଜର୍ଜ ଲୁଗୁନ ଓଡ଼ିଶା ପୁଲିସ ହକି ଦଳକୁ ଅନେକବାର ଜାତୀୟସ୍ତରରେ ପ୍ରତିନିଧିତ୍ବ କରିଥିବାବେଳେ ଅଧିନାୟକ ଭାର ମଧ୍ୟ ସମ୍ଭାଳିଥିଲେ। ମା’ ପ୍ରମିଳା ଜଣେ ଅଙ୍ଗନୱାଡ଼ି କର୍ମୀ। ବଡ଼ଭାଇ ବ୍ରୁନ୍‌ ଆଡ୍ରିଆନ ଲୁଗୁନ ଜାତୀୟସ୍ତରରେ ଖେଳିଥିବାବେଳେ ଭାଉଜ ପୁନମ ଟପ୍ପୋ ଭାରତୀୟ ମହିଳା ହକି ଦଳକୁ ପ୍ରତିନିଧିତ୍ବ କରିଥିଲେ। ଦୀପକଙ୍କ ବଡ଼ ଦାଦା ପ୍ରଫୁଲ୍ଲ ସିଆଇଏସ୍‌ଏଫ୍‌ ହକି ଦଳ ପକ୍ଷରୁ ବହୁବାର ପଡ଼ିଆକୁ ଓହ୍ଲାଇଥିଲେ। ସାନଦାଦା ପ୍ରଦୀପ ଲୁଗୁନ ଓ ଖୁଡ଼ୀ ଯସ୍ନୀତା ଟପ୍ପୋ ମଧ୍ୟ ଜାତୀୟସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିଲେ। ସଂପୂର୍ଣ୍ଣ ପରିବାର ହକି ଖେଳ ପ୍ରତି ସମର୍ପିତ ଥିବାବେଳେ ସେମାନଙ୍କଠାରୁ ହିଁ ପ୍ରେରଣା ପାଇଥିଲେ ଦୀପକ। ଭାରତୀୟ ଜାତୀୟ ଦଳରେ ସ୍ଥାନ ଦଖଲ ପାଇଁ ଦେଖିଥିବା ଲକ୍ଷ୍ୟ କିନ୍ତୁ ଅଧୁରା ରହିଗଲା ତାଙ୍କର।

ସମ୍ବନ୍ଧିତ ଖବର