ଜାତୀୟ କନିଷ୍ଠ ସଫ୍ଟ ବେସ୍‌ବଲ୍‌: ଓଡ଼ିଶା ବାଳକ ଓ ମହାରାଷ୍ଟ୍ର ବାଳିକା ବିଜେତା

ପୁରୀ: ରାଜ୍ୟ ସପ୍ଟ୍‌ ବେସ୍‌ବଲ ସଂଘ ଓ ଭାରତୀୟ ସପ୍ଟ୍‌ ବେସ୍‌ବଲ ମହାସଂଘର ମିଳିତ ସହଯୋଗରେ ଗତ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ତାଳବଣିଆସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଚତୁର୍ଥ ଜାତୀୟ କନିଷ୍ଠ ସଫ୍ଟ୍‌ ବେସ୍‌ବଲ୍‌ ପ୍ରତିଯୋଗିତାର ବାଳକ ବିଭାଗରେ ଓଡ଼ିଶା ଏବଂ ବାଳିକାରେ ମହାରାଷ୍ଟ୍ର ବିଜେତା ହୋଇଛି। ବାଳକରେ ମହାରାଷ୍ଟ୍ର ଓ ଛତିଶଗଡ଼ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲା ବେଳେ ବାଳିକା ବିଭାଗରେ ଛତିଶଗଡ଼ ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି। ଓଡ଼ିଶାର ସଞ୍ଜୟ ସିଂହ ଓ ଲକ୍ଷ୍ମୀ ସୋରେନ୍‌ ଯଥାକ୍ରମେ ଶ୍ରେଷ୍ଠ ବାଳକ ଏବଂ ଶ୍ରେଷ୍ଠ ବାଳିକା ଖେଳାଳି ଭାବେ ସମ୍ବର୍ଧିତ ହୋଇଥିଲେ। ବିଜେତା ଓଡ଼ିଶା ବାଳକ ଦଳରେ ଥିବା ଖେଳାଳିମାନେ ହେଲେ ସିଦ୍ଧାନ୍ତ ପ୍ରଧାନ, ଲିପୁନ ସିଂହ, ସଂଜୟ ସିଂହ, ଗୌତମ ସିଂହ, ଅମରେନ୍ଦ୍ର କ୍ରିଷାନୀ, ସୁବିନ ଥନପତୀ, ସୋମା ସିଂହ, ଟୁନା କଂହର, ମନହରୀ ମାଝୀ, ରଂଜିତ ସିଂହ, ଜିହୁଦସୁନା ମାଝୀ, ସୋନୁ ଜାନୀ, ଓମ୍‌ ପୂରନ। ସନ୍ଦୀପ କୁମାର ଦାସ ଓ ଉମେଶ କୁମାର ପ୍ରଧାନ ପ୍ରଶିକ୍ଷକ ଏବଂ ପ୍ରବନ୍ଧକ ଦାୟିତ୍ୱ ତୁଲାଇ ଥିଲେ।

କ୍ରୀଡ଼ାରେ ଭେଦଭାବ ନ ରହୁ: ସୌମ୍ୟରଂଜନ
ଭାରତର ସମ୍ବିଧାନରେ ଭେଦଭାବକୁ ବାରଣ କରାଯାଇଛି। ମାତ୍ର ଏବେ କ୍ରୀଡ଼ା କ୍ଷେତ୍ରରେ ବି ଭେଦଭାବ ଦେଖାଦେଇଛି। କିଛି ଖେଳକୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଉ କିିଛି ଖେଳକୁ ଗୌଣ ଦୃଷ୍ଟିରେ ଦେଖାଯାଉଛି ବୋଲି ଶନିବାର ସ୍ଥାନୀୟ ଝାଡ଼େଶ୍ୱରୀ କ୍ଲବ୍‌ ପରିସରରେ ଆୟୋଜିତ ଜାତୀୟ କନିଷ୍ଠ ସଫ୍ଟ ବେସ୍‌ବଲ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। କ୍ରୀଡାବିତ୍‌ମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ରିକେଟ୍‌ ଖେଳକୁ ଯେଭଳି ଗୁରୁତ୍ୱ ଓ ପ୍ରୋତ୍ସାହନ ମିଳୁଛି ଅନ୍ୟ ଖେଳରେ ତାହା ଦେଖିବାକୁ ମିଳୁନାହିଁ। ଏପରିକି ଜାତୀୟ କ୍ରୀଡା ହକିକୁ ମଧ୍ୟ ସେତିକି ପ୍ରାଧାନ୍ୟ ମିଳୁନାହିଁ। କ୍ରିକେଟ୍‌ ଖେଳାଳି ସ୍ୱଳ୍ପ ସମୟରେ ଯେତିକି ଅର୍ଥ ଉପାର୍ଜନ ଓ ଖ୍ୟାତି ପାଉଛନ୍ତି ତାହା ଅନ୍ୟ କ୍ରୀଡ଼ାରେ ମିଳୁନାହିଁ। ଫଳରେ ଅନ୍ୟ ଖେଳ ପ୍ରତି ଆଗ୍ରହ କମିଯାଉଛି। ଏ ପ୍ରକାର ବିଭେଦ ରହିଲେ ଆମ ଦେଶ କ୍ରୀଡା କ୍ଷେତ୍ରରେ ଆଗକୁ ଯାଇପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ହାଇଟେକ୍‌ ମେଡ଼ିକାଲ ଏବଂ ହସ୍‌ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ସଂଘର ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଦିବାକର ପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସତୀକାନ୍ତ ପଟ୍ଟନାୟକ, ସୀତେନ୍ଦ୍ରନାଥ ଦାସ, ବିନୋଦିନୀ ମିଶ୍ର, ମଳୟ ନାୟକ, ଆକାଶ ମିଶ୍ର, ପ୍ରିତମ୍‌ ଜଗଦ୍ଦେବ, ଅରୁଣ ପଟ୍ଟନାୟକ, ଗୁରୁଗୋବିନ୍ଦ ଚାନ୍ଦ, ପୂର୍ଣ୍ଣାନନ୍ଦ ବେହେରା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସଂଘ ସମ୍ପାଦକ ଜିତେନ୍ଦ୍ରନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ କ୍ରୀଡ଼ାର ସମୂହ ବିକାଶ କ୍ଷେତ୍ରରେ ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିବା ଓଡ଼ିଶାର ଖ୍ୟାତନାମା କ୍ରୀଡ଼ା ବ୍ୟକ୍ତିତ୍ୱ କୃଷ୍ଣଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ଦାସ, ମହମ୍ମଦ ଆଜାମ, ସୀତେନ୍ଦ୍ରନାଥ ଦାସ, ଶୁଭାଶିଷ ଖୁଣ୍ଟିଆ ଏବଂ ଗଙ୍ଗାଧର ସାହୁଶର୍ମାଙ୍କୁ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା

ସମ୍ବନ୍ଧିତ ଖବର