ଜାତୀୟ କନିଷ୍ଠ କବାଡ଼ି ୧୨ରୁ: ବିଜେତା ହେଲେ ଓଡ଼ିଶା ଖେଳାଳିଙ୍କୁ ୫୦ ହଜାର

କଟକ: ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ୪୪ତମ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପୁରସ୍କାର ରହିଛି। ଯଦି ଓଡ଼ିଶା ପ୍ରତିଯୋଗିତାରେ ବିଜେତା ହୁଏ ତାହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଆଉ ଉପବିଜେତା ହେଲେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ମିଳିବ। ଶୁକ୍ରବାର ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କବାଡ଼ି ସଂଘର ସଭାପତି ଶରତ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ରୁଚି ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ ବୋଲି କୁହାଯାଇଛି। ପ୍ରତିଯୋଗିତାରେ ୮୦୦ରୁ ଅଧିକ ଖେଳାଳି ଓ ୨୦୦ରୁ ଅଧିକ ଅଧିକାରୀ ଯୋଗଦେଉଛନ୍ତି। ଓଲିଉଡ୍‌ ତାରକା ଅନୁଭବ ମହାନ୍ତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଆଯାଇଛି। ଗତ ୧ ତାରିଖରେ ପ୍ରତିଯୋଗିତାର ମାସ୍କଟ୍‌ ଓଲିକୁ ମଧ୍ୟ ଉନ୍ମୋଚନ କରାଯାଇଛି। ତେଣୁ କବାଡ଼ିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସବୁ ପ୍ରକାର ଉଦ୍ୟମ କରାଯାଇଥିବା ସୂଚନା ଦିଆଯାଇଛି। ଏପରିକି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେୟମୁକ୍ତ ପ୍ରବେଶର ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତା ଅବସରରେ ଏକ ସ୍ମାରଣିକା ଉନ୍ମୋଚନ ହେବା ସହ ପୁରାତନ କବାଡ଼ି ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ସମ୍ବର୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତିଙ୍କ ବ୍ୟତୀତ ସଂଘର ସଂପାଦକ ଅଜୟ କୁମାର ବେହେରା, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି, ଯୁଗ୍ମ ସମ୍ପାଦକ ବସନ୍ତ କୁମାର ସାହୁ, ମିଡ଼ିଆ ସମିତିର ଅଧ୍ୟକ୍ଷ ଶୁଭେନ୍ଦୁ ଭୂୟାଁ, ସଭ୍ୟ ରାମଚନ୍ଦ୍ର ବେହେରା, ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ରେଫରି ସମିତି ଅଧ୍ୟକ୍ଷ ପହଲି ଚରଣ ପ୍ରଧାନ, ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ଉଲ୍ଲାସ ଚନ୍ଦ୍ର ବେହୁରା, ଡକ୍ଟର ନିହାର ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର