ବାରିପଦା: ଏଠାରେ ଚାଲିଥିବା ସର୍ବଭାରତୀୟ କନିଷ୍ଠ ରଗ୍ବି ପ୍ରତିଯୋଗିତାର ଶୁକ୍ରବାର ତୃତୀୟ ଦିବସରେ ମହିଳା ବର୍ଗରେ ମହାରାଷ୍ଟ୍ର ୧୪-୭ରେ ବିହାରକୁ ଏବଂ ଜଙ୍ଗଲ୍ କ୍ରୋଜ୍ ୧୭-୫ରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଦୁଇ ମ୍ୟାଚ୍ରେ କିସ୍ ଚଣ୍ଡିଗଡ଼ଠାରୁ ଓ୍ଵାକ୍ଓଭର୍ ପାଇଥିଲା ବେଳେ ମୟୂରଭଞ୍ଜ ୧୦-୦ରେ ରାଜସ୍ଥାନକୁ ପରାସ୍ତ କରଛି। ଫଳରେ କିସ୍ ମହିଳା ଦଳ ସେମିଫାଇନାଲ୍ରେ ମହାରାଷ୍ଟ୍ରକୁ ଭେଟିବ। ତେବେ ପୁରୁଷ ବର୍ଗରେ ଆୟୋଜକ ମୟୂରଭଞ୍ଜ ସାଙ୍ଗକୁ କିସ୍ ପୁରୁଷ ଦଳ ନିରାଶ ହୋଇଛନ୍ତି। କ୍ୱାର୍ଟର ଫାଇନାଲ୍ରେ ମହାରାଷ୍ଟ୍ରଠୁ ୫-୨୨ରେ ପରାସ୍ତ ହୋଇ ମୟୂରଭଞ୍ଚ ଟ୍ରଫି ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟ ମ୍ୟାଚ୍ରେ ବିହାର ୨୯-୦ରେ ୟୁପିକୁ, ଭୁବନେଶ୍ୱର ୧୭-୦ରେ ଚଣ୍ଡିଗଡ଼କୁ ଏବଂ ଦିଲ୍ଲୀ ୭-୦ରେ କିସ୍କୁ ପରାସ୍ତ କରିଦେଇଛି। ଏଥିସହିତ ପୁରୁଷ ବର୍ଗରେ ମହାରାଷ୍ଟ୍ର ଓ ଦିଲ୍ଲୀ ସେମିଫାଇନାଲ୍କୁ ଯାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗ୍ବି ଫୁଟ୍ବଲ ସଂଘ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ଦେଶରୁ ୨୦ ପୁରୁଷ ଓ ୧୦ ମହିଳା ଦଳ ଭାଗ ନେଇଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୯ ତାରିଖରେ ଉଦ୍ଯାପିତ ହେବ।