ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର: ଓଡ଼ିଶାକୁ ତ୍ରିମୁକୁଟ

ଦଳଗତ ବର୍ଗରେ ବାଳକ ଓ ବାଳିକା, ରେଗୁରେ ବାଳିକା ବିଜେତା

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୨୧ତମ ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର ପ୍ରତିଯୋଗିତାର ରବିବାର ଉଦ୍‌ଯାପିତ ହୋଇଯାଇଛି। ଘରୋଇ ଓଡ଼ିଶାକୁ ଏଥିରେ ତ୍ରିମୁକୁଟ ହାସଲ ହୋଇଛି। ଓଡ଼ିଶା ବାଳକ ଓ ବାଳିକା ଦଳଗତ ବର୍ଗରେ ବିଜେତା ହୋଇଥିଲା ବେଳେ ମାଳିକା ରେଗୁରେ ବିଜେତା ହୋଇଛନ୍ତି। ସେହିପରି ବାଳକ ଦଳ ଯୁଗଳ ବର୍ଗରେ ଉପବିଜେତା ହେବା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଛି। ରବିବାର ଦଳଗତ ବର୍ଗରେ ଓଡ଼ିଶା ବାଳିକା ୨-୧ରେ ମଣିପୁରକୁ ଏବଂ ବାଳକ ସମାନ ୨-୧ ବ୍ୟବଧାନରେ ତାମିଲନାଡୁକୁ ପରାସ୍ତ କରି ବିଜେତା ଆଖ୍ୟା ହାତେଇ ନେଇଥିଲେ। ସେହିପରି ରେଗୁରେ ଓଡ଼ିଶା ବାଳିତା ୨-୦ରେ ମଣିପୁରକୁ ହରାଇ ବିଜେତା ହୋଇଥିଲା ବେଳେ ବାଳକରେ ତାମିଲନାଡୁକୁ ୨-୦ରେ ପରାସ୍ତ କରି ମଣିପୁର ବିଜେତା ହୋଇଥିଲା। ଯୁଗଳ ବର୍ଗରେ ନାଗାଲାଣ୍ଡ୍‌ ବାଳିକା ୨-୧ରେ ହରିଆନାକୁ ପରାସ୍ତ କରି ବିଜେତା ହୋଇଥିଲା ବେଳେ ବାଳକରେ ମଣିପୁରଠୁ ୦-୨ରେ ହାରି ଓଡ଼ିଶା ଉପବିଜେତା ହୋଇଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲା ବେଳେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଭାରତୀୟ ସିପକ୍‌ଟାକ୍ର ସଂଘର ସଭାପତି ଡ. ଏସ୍‌ଆର୍‌ ପ୍ରେମଜୀ, ସାଧାରଣ ସଂପାଦକ ଯୋଗେନ୍ଦ୍ର ସିଂହ ଦାହିୟା, ଉପସଭାପତି ବିମଲ୍‌ କାନ୍ତି ପାଲ୍‌, କୋଷାଧ୍ୟକ୍ଷ ଏସ୍‌ଏମ୍‌ ସିରିହା ଏବଂ ରାଜ୍ୟ ସଂଘର ସାଧାରଣ ସଂପାଦକ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର