ଜାତୀୟ କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର,: ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରେ ସଦ୍ୟ ସମାପ୍ତ ଜାତୀୟ ଉପକନିଷ୍ଠ ଏବଂ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶା ଖେଳାଳିଙ୍କୁ ବରିବାର ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ଦଳ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୩ କାଂସ୍ୟ ସହିତ ମୋଟ ୭ ପଦକ ଜିତିଥିଲା। ମଧୁପ୍ରିୟା ବାଇ, ରିତେଶ ମହାନ୍ତି, ଅର୍ପିତା ସିଂହ ସ୍ବର୍ଣ୍ଣ ପଦକ ଜିତିଥିବାବ‌େଳେ ଅନୁପମା ସ୍ବାଇଁ ରୌପ୍ୟ ପଦକ ହାସଲ କରିଥିଲେ। ତ୍ରିଲୋଚନ ରଣା ଏବଂ ମନୋଜ ବେହେରାଙ୍କ ସହିତ ଦଳଗତ କାଟା (ଅନୁପମା ସ୍ବାଇଁ, ସୁସ୍ମିନ ପାଲଟାସିଂହ, ସିନ୍ଧୁତନୟା ଖୁଣ୍ଟିଆ) କାଂସ୍ୟ ପଦକ ତିନୋଟି ହାସଲ କରିଥିଲେ। ଅନ୍ତର୍ଜାତୀୟ କରା‌ଟେକା ଦିଲୀପ କୁମାର ଜେନାଙ୍କୁ କିନ୍ତୁ ପକ୍ଷପାତ ରେଫରିଂ ପାଇଁ ପଦକରୁ ବଞ୍ଚିତ ହେବାକୁ ପଡ଼ିଛି‌ ବୋଲି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ପ୍ରକାଶ କରିଥିଲେ ଓଡ଼ିଶା କରାଟେ ସଂଘର ସମ୍ପାଦକ ହରି ପ୍ରସାଦ ପଟ୍ଟନାୟକ। ଖରାପ ରେଫରିଂ ସମ୍ପର୍କରେ ଆମେ ଅଭିଯୋଗ କରିବୁ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ରବିବାରର ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଓଡ଼ିଶା ରାଜ୍ୟ କରାଟେ ସଂଘ (ଓସ୍କା) ପକ୍ଷରୁ ସ୍ବର୍ଣ୍ଣ ବିଜେତାଙ୍କୁ ୫୦୦୦ ଲେଖାଏଁ, ରୌପ୍ୟ ବିଜେତାକୁ ୪,୦୦୦ ଏବଂ କାଂସ୍ୟ ବିଜେତାଙ୍କୁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷକ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ଗସ୍ତଖର୍ଚ ବାବଦ ୫୦୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା। ଏହା ବ୍ୟତୀତ ଓସ୍କାର ବରିଷ୍ଠ ପ୍ରଶିକ୍ଷକ ସେନସେଇ ସୌମ୍ୟରଂଜନ ଦାସ ମଧ୍ୟ ପ୍ରତି ପଦକ ବିଜେତାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଅତିରିକ୍ତ ରାଶି ପ୍ରଦାନ କରିଥିଲେ। ରବିବାରର ଉତ୍ସବରେ ମଧ୍ୟ ଓଡ଼ିଶା ରାଜ୍ୟ ସଂଘର ସମ୍ପାଦକ ତଥା କାଇର ବୈଷୟିକ ନିର୍ଦେଶକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଶିକ୍ଷକ ରାଜୀବ ସିଂହ, ଦୀପକ ସାମନ୍ତରାୟ, ଗୌରୀ ମହାନ୍ତି, ସନ୍ଦୀପ ମହାନ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର