ଶନିବାରରୁ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟା‌ଲେଞ୍ଜ ଭଲିବଲ୍: ୭ ଲକ୍ଷର ବ୍ୟୟ ବରାଦ, ଭାଗନେବେ ରାଜ୍ୟ ବାହାରର ୪ ଦଳ

ଭୁବନେଶ୍ବର: ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ (ଏଲ୍‌ସିଏ) ଆନୁକୂଲ୍ୟରେ ‘ଲିଙ୍ଗରାଜ ଚ୍ୟାଲେଞ୍ଜ ସର୍ବଭାରତୀୟ ଦିବା-ରାତ୍ର ଭଲିବଲ୍’ ପ୍ରତିଯୋଗିତାର ଦ୍ବାଦଶ ସଂସ୍କାରଣ ଚଳିତ ମାସ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ପୋଖରିପୁଟଠାରେ ଥିବା ଲିଙ୍ଗରାଜ ଭଲିବଲ୍ ପଡ଼ିଆରେ ଆୟୋଜିତ ହେବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ବଛାବଛା ୬ ଦଳ ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତା ଲିଗ୍ କମ୍ ନକ୍‌ଆଉଟ୍ ଭିତ୍ତିରେ ଖେଳାଯିବ। ୬ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିଲା ବେଳେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ସେଠାରୁ ଫାଇନାଲିଷ୍ଟ ବଛା ଯାଇ ରବିବାର ସଂଧ୍ୟାରେ ମେଗା ଫାଇନାଲ୍ ଅନୁଷ୍ଠିତ ହେବ। ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେହିଭଳି ବିଜେତା ଦଳ ଆକର୍ଷଣୀୟ ଟ୍ରଫି ସହ ୧୫,୦୦୦ ଏବଂ ଉପବିଜେତା ଦଳ ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ସହ ଟ୍ରଫି ଜିତିବେ। ପ୍ରତିଯୋଗିତା ଲାଗି ମୋଟ ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଶନିବାର ଚାରିଟି ମ୍ୟାଚ୍ ଖେଳାଯିବା ସହ ରବିବାର ଦୁଇଟି ଲିଗ୍ ମ୍ୟାଚ୍ ସହ ସେମିଫାଇନାଲ୍ ଏବଂ ଫାଇନାଲ୍ ଆୟୋଜିତ ହେବ। ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲେ ଗତଥରର ବିଜେତା କ୍ରୀଡ଼ାଛାତ୍ରାବାସ ଭୁବନେଶ୍ବର, ରାଇଜିଂ କ୍ଲବ୍ ରାଉରକେଲା, ଡିଏଲ୍‌ଡବ୍ଲ୍ୟୁ ବାରଣାସୀ ଉତ୍ତର ପ୍ରଦେଶ, ସିଆରପିଏଫ୍ ନୂଆଦିଲ୍ଲୀ, ପୂର୍ବ ରେଳବାଇ କୋଲକାତା, ଛତିଶଗଡ଼ ପୁଲିସ ଓ ଆନ୍ଧ୍ରପ୍ରଦେଶ। ପ୍ରତିଯୋଗିତାର ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟର ବହୁ ପ୍ରତିଷ୍ଠିତ ତଥା ଲୋକପ୍ରିୟ ଖେଳାଳି ଯୋଗଦେବେ। ସମସ୍ତ ମ୍ୟାଚ୍ ଜାତୀୟ ଏବଂ ଅନ୍ତର୍ଜାତୀୟ ରେଫରିଙ୍କ ଦ୍ବାରା ପରିଚାଳିତ ହେବ। ସୋମବାର ଏଥିନେଇ ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍‌ର କର୍ମକର୍ତା ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଅଧିକରୁ ଅଧିକ କ୍ରୀଡ଼ାପ୍ରେମୀ ଏଥିରେ ଯୋଗଦେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ କ୍ଲବ୍‌ର ସଭାପତି ବାବୁ ସିଂହ, ସଂପାଦକ ରଜତ ତ୍ରିପାଠୀ, ସଂଘର କର୍ମକର୍ତା ସୁବାଷ ମିଶ୍ର, ସଞ୍ଜୟ ଦାଶ, ନିହାର ମହାନ୍ତି, ସୀତାକାନ୍ତ ନନ୍ଦ, ମାନଭଞ୍ଜନ ସାହୁ, ଅଭିମନ୍ୟୁ ପ୍ରଧାନ, ଅଭିରାମ ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଭଲିବଲ୍ ତାରକା ସୀତାରାମ ରାଜୁ, ରବୀନ୍ଦ୍ର ମୁରୁଡ଼ି (ଓଡ଼ିଶା), ପ୍ରଶାନ୍ତ (ମୁମ୍ବାଇର ପ୍ରୋ ଭଲିବଲ୍ ଲିଗ୍ ଖେଳାଳି), ନାନୀ (ଆନ୍ଧ୍ର) ପ୍ରମୁଖ ଏହି ପ୍ରତିଯୋଗିତାରେ ଖେଳିବେ ବୋଲି ଆୟୋଜକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର