ଜାତୀୟ ମାଷ୍ଟର୍ସ କ୍ରୀଡ଼ା:ଓଡ଼ିଶାକୁ ଆଉ ୫ ପଦକ

ସମ୍ବଲପୁର: ଚଣ୍ଡିଗଡ଼ ମୋହାଲିରେ ଚାଲିଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଗୁରୁବାର ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସମେତ ଆଉ ୫ ପଦକ ମିଳିଛି। ଫଳରେ ୧୧ ସ୍ୱର୍ଣ୍ଣ ସମେତ ମୋଟ ପଦକ ସଂଖ୍ୟା ୩୧ରେ ପହଞ୍ଚିଛି। ଗୁରୁବାର ଦୌଡ଼କୁଦରେ ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଥିଲା ବେଳେ ସନ୍ତରଣରେ ୨ କାଂସ୍ୟ ପଦକ ମିଳିଛି। ୬୦ ବର୍ଷରୁ ଅଧିକ ପୁରୁଷ ୪୦୦ ମିଟରରେ ଅଶୋକ କୁମାର ବିଶ୍ୱାଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୫ ବର୍ଷ ପୁରୁଷ ୪୦୦ ମିଟରରେ ଫଟୋ ଫିନିସ୍‌ରେ ହୋଇଥିବା ନିଷ୍ପତ୍ତିରେ ବିଏସ୍‌କେ ସାମଲ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ୩୦ ବର୍ଷରୁ ଅଧିକ ମହିଳା ହାମର ଫିଙ୍ଗାରେ ରଶ୍ମିତା ପୁରୋହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସନ୍ତରଣର ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ପ୍ରଦୀପ ପାଢ଼ୀ ଏବଂ ୧୦୦ ମିଟର୍‌ ବ୍ୟାକ୍‌ ଷ୍ଟ୍ରୋକରେ ଜଗଦୀଶ ପନଓ୍ଵାର କାଂସ୍ୟ ପଦକ ଜିତିଛନ୍ତି। ଫଳରେ ୩ ସ୍ୱର୍ଣ୍ଣ, ୪ ରୌପ୍ୟ, ୯ କାଂସ୍ୟ ସହ ମୋଟ ୧୬ ପଦକ ପାଇ ଓଡ଼ିଶା ସନ୍ତରଣ ଦଳର ଅଭିଯାନ ଶେଷ ହୋଇଛି ବୋଲି ଦଳର ମୁଖ୍ୟ ପ୍ରଦୀପ ପାଢ଼ୀ ସୂଚନା ଦେଇଛନ୍ତି। ଶୁକ୍ରବାର ଦୌଡ଼କୁଦରେ ଆଉ କିଛି ପଦକ ମିଳିବା ସମ୍ଭାବନା ଥିବା ଦଳର ପ୍ରଶିକ୍ଷକ ଯୁଗଳ ପ୍ରସାଦ ସିଂହ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର