ସେପ୍ଟେମ୍ବର ୧୨ରୁ କଟକରେ ଜାତୀୟ ଫେନ୍ସିଂ ପ୍ରତିଯୋଗିତା

କଟକ: ଆସନ୍ତା ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଫେନ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ୨୬ଟି ରାଜ୍ୟ ଦଳରୁ ପାଖାପାଖି ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ରାଜ୍ୟ ଫେନ୍ସିଂ ସଂଘ ପକ୍ଷରୁ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରତିଯୋଗିତା ଆୟୋଜନ ପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାସଂଘ ୮ ଲକ୍ଷ ଟଙ୍କା ଦେଉଥିବା ବେଳେ ରାଜ୍ୟ କ୍ରୀଡ଼ା ବିଭାଗ, ପ୍ରାୟୋଜକ ଓ ଡୋନେସନ୍‌ ବାବଦକୁ ଅନ୍ୟ ଅର୍ଥଗୁଡ଼ିକ ଆସିବା ପାଇଁ ଆକଳନ କରାଯାଇଛି। ବିଜେତାମାନଙ୍କୁ ଟ୍ରଫି ଓ ପଦକ ପ୍ରଦାନ କରାଯିବ। ଏଥିସହିତ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ଉପହାରର ବ୍ୟବସ୍ଥା କରାଯାଉଥିବା ରାଜ୍ୟ ସଂଘ ସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁମିତ ରଂଜନ ପୁରୋହିତ, ରମେଶ ମଲ୍ଲିକ, ଆନ୍ତର୍ଜାତିକ ହ୍ଵିଲ୍‌ ଚେୟାର ଫେନ୍ସିଂ ସ୍ୱର୍ଣ୍ଣ ପଦକ ବିଜେତା ରାଖାଲ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର