ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ :ଓଡ଼ିଶାର ଗୋଲ୍‌ ବର୍ଷା:ଉତ୍ତରାଖଣ୍ଡକୁ ୧୭-୦ରେ ହରାଇଲା

କଟକ: ଏଠାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ତୃତୀୟ ଦିବସରେ ଘରୋଇ ଓଡ଼ିଶା ଗୋଲ୍‌ ବର୍ଷା କରିଦେଇଛି। ରେଭେନ୍‌ସା ପଡ଼ିଆରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଗୋଲ୍‌ ବର୍ଷା କରି ଓଡ଼ିଶା ୧୭-୦ରେ ଉତ୍ତରାଖଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଦେଇଛି। ମ୍ୟାଚ୍‌ରେ ଜ୍ୟୋତି କୁମାରୀ ସର୍ବାଧିକ ୬ ଗୋଲ୍‌ କରିଥିଲେ। ୧୯ ମିନିଟ୍‌ରୁ ବ୍ୟକ୍ତିଗତ ଭାବେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିବା ଜ୍ୟୋତି ପରେ ୨୯, ୪୫+୧, ୭୬, ୭୭ ଓ ୯୦ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଲଦି ଦେଇଥିଲେ। ତାଙ୍କ ବ୍ୟତୀତ ମନୀଷା ନାଏକ (୧୩, ୨୬, ୫୦ ଓ ୬୨ ମିନିଟ୍‌) ୪, ଗାୟତ୍ରୀ ବେହେରା (୩୬ ଓ ୩୯ ମିନିଟ୍‌) ଏବଂ ମାଳତୀ ମୁଣ୍ଡା (୪ ଓ ୩୧ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ବଦଳ ଖେଳାଳି ବର୍ଷା ମହାକୁଡ଼ (୬୪, ୮୭ ଓ ୮୮ ମିନିଟ୍‌) ତିନିଟି ଗୋଲ୍‌ ଯୋଡ଼ିବାରୁ ଓଡ଼ିଶା ବୃହତ୍‌ ବିଜୟ ପାଇଥିଲା। ଉତ୍ତରାଖଣ୍ଡ ଗୋଟିଏ ବି ଗୋଲ୍‌ ଦେବାକୁ ସମର୍ଥ ହୋଇନଥିଲା।
ମଙ୍ଗଳବାରର ଅନ୍ୟ ଦୁଇଟି ମ୍ୟାଚ୍‌ରେ ଝାଡ଼ଖଣ୍ଡ ୧୦-୦ ଗୋଲ୍‌ରେ ଗୋଆକୁ ଏବଂ ମଣିପୁର ୮-୧ ଗୋଲ୍‌ରେ ତାମିଲନାଡୁକୁ ପରାସ୍ତ କରିଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଝାଡ଼ଖଣ୍ଡ ପକ୍ଷରୁ ସୁନୀତା ମୁଣ୍ଡା (୫, ୨୧, ୫୯, ୬୭ ମିନିଟ୍‌) ଏବଂ ସୋନି ମୁଣ୍ଡା (୮, ୬୦, ୬୧, ୮୮ ମିନିଟ୍‌) ୪ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଅସ୍ତମ୍‌ ଓରାଓନ୍‌ ( ୭ ମିନିଟ୍‌) ଏବଂ ବଦଳ ଖେଳାଳି ଅର୍ଚନା କୁମାରୀ ରାୟ (୮୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ସେହିପରି ରେଭେନ୍‌ସା ପଡ଼ିଆରେ ଦବ୍‌ଦବା ଦେଖାଇଥିବା ମଣିପୁର ପାଇଁ ନାଓରେମ୍‌ ପ୍ରିୟଙ୍କା ଦେବୀ (୪୯, ୬୩, ୬୫, ୯୦+୩ ମିନିଟ୍‌) ୪ ଏବଂ ଏସ୍‌ ଲିଣ୍ଡା କମ୍‌ (୭୧, ୯୦ ଓ ୯୦+୧ ମିନିଟ୍‌) ୩ ଗୋଲ୍‌ କରିଥିଲା ବେଳେ ବଦଳ ଖେଳାଳି ମାୟାଙ୍ଗଲାମ୍ବମ୍‌ ଜିନା ଚାନୁ (୫୭ ମିନିଟ୍‌) ଗୋଟିଏ ଗୋଲ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର