ଜାତୀୟ ରୋଇଂରେ ଓଡ଼ିଶା ବିଜେତା

କଟକ: ପୁନେଠାରେ ଶେଷ ହୋଇଥିବା ୩୬ତମ ଜାତୀୟ ରୋଇଂ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ବିଜେତା ହୋଇଛି। ଗତ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୩ ସ୍ୱର୍ଣ୍ଣ ଏବଂ ୨ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ୨୦୦୦ ମିଟରରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ କାଂସ୍ୟ ପଦକ ପାଇଥିଲେ। କକ୍ସଲେସ୍‌ ପେୟାରରେ ମଂଜୁଳା ଖେସ୍‌ ଓ ରେଶ୍‌ମା କୁମାରୀ ମିଞ୍ଜ୍‌ଙ୍କ ଯୋଡ଼ି ସ୍ୱର୍ଣ୍ଣ, ପ୍ରିସିଲା ବାକ୍ସଲା ଓ ମନୀଷା କିସ୍‌ପୋଟାଙ୍କ ଯୋଡ଼ି ରୌପ୍ୟ, କକ୍ସଲେସ୍‌ ଫୋର୍‌ରେ ଝରଣା ହସ୍ତି, ଦୀପିକା ଖେସ୍‌, ରିତୁ କାଉଡି, ସୋନାଲି ସ୍ୱାଇଁ ରୌପ୍ୟ ପଦକ ପାଇଛନ୍ତି। ସେହିପରି ୫୦୦ ମିଟରରେ କକ୍ସଲେସ୍‌ ପେୟାରରେ ରିତୁ କାଉଡି ଓ କମଳା ଲାକ୍ରାଙ୍କ ଯୋଡ଼ି ସ୍ୱର୍ଣ୍ଣ, ମଂଜୁଳା ଖେସ୍‌ ଓ ଅମୁସାନା ଦେବୀଙ୍କ ଯୋଡ଼ି କାଂସ୍ୟ, କକ୍ସଲେସ୍‌ ଫୋର୍‌ରେ ଝରଣା ହସ୍ତି, ଦୀପିକା ଖେସ୍‌, ରେଶ୍‌ମା କୁମାରୀ ମିଞ୍ଜ୍‌ ଓ ସୋନାଲି ସ୍ୱାଇଁଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ରାଜ୍ୟ ରୋଇଂ ଓ ସ୍କଲିଂ ସଂଘ ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସିଂହଦେଓ, ପ୍ରଶିକ୍ଷକ ପିଟି ପୌଲୁସ୍‌ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର