ଜାତୀୟ ବିଦ୍ୟାଳୟ ଚେସ୍‌, ୟାଶିତା, ଐଶ୍ବର୍ଯ୍ୟାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଛତିଶଗଡ଼ର ରାଇପୁରଠାରେ ରବିବାର ଶେଷ ହୋଇଥିବା ଅଷ୍ଟମ ଜାତୀୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି। ପୂର୍ବତନ ବିଶ୍ବ ବୟସ ବର୍ଗ (୮ ବ‌ର୍ଷରୁ କମ୍‌) ସ୍ବର୍ଣ୍ଣ ବିଜୟିନୀ ୟାଶିତା ରାଉତ ଏବଂ କଟକ ଝିଅ ଐଶ୍ଚର୍ଯ୍ୟା ସାହୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୟାଶିତା ୧୧ ବର୍ଷରୁ କମ୍ ବାଳିକା ବର୍ଗରେ ଏବଂ ଐଶ୍ଚର୍ଯ୍ୟା ୭ ବର୍ଷରୁ କମ୍‌ ବାଳିକା ବର୍ଗରେ ବିଜୟିନୀ ହୋଇ ଏହି ଗୌରବ ଆଣିଛନ୍ତି। ଦ୍ବିତୀୟ ମାନ୍ୟତା ଖେଳାଳି ଭାବେ ଅଭିଯାନ ଆରମ୍ଭ କରିଥିବା ୟାଶିତା ୯ ରାଉଣ୍ଡରୁ ୬ ବିଜୟ, ୩ ଅମୀମାଂସିତ ରହିତ ୭.୫ ପଏଣ୍ଟ୍ ଅର୍ଜନ କରିଥିଲେ। ରାୟପୁର ସଫଳତା ସହିତ ୟାଶିତା ମଧ୍ୟ ୪୫ ଏଲୋ ରେଟିଂ ବଢ଼ାଇଛନ୍ତି। ଭୁବନେଶ୍ବର ଳୟଲା ସ୍କୁଲ ଛାତ୍ରୀ ୟାଶିତା ଦ୍ବିତୀୟ ଥର ପାଇଁ ଜାତୀୟ ପଦକ ଜିତିଛନ୍ତି। ୨୦୧୫ ମସିହାରେ ସେ ଚେନ୍ନାଇରେ ୨୯ତମ ଜାତୀୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ଉପ ବିଜେତା ‌ହୋଇ ରୌପ୍ୟ ପଦକ ହାସଲ କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ୨୦୧୬ରେ ସେ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ବିଶ୍ବ ଚେସ୍ ପ୍ରତିଯୋଗିତାରେ ୮ ବର୍ଷରୁ କମ୍ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ୭ ବର୍ଷରୁ କମ୍ ବାଳକ ବର୍ଗରେ ରୌପ୍ୟ ଏବଂ ରାଉରକେଲାର ସାର୍ଥକ ଦେବତା ୧୫ ବର୍ଷରୁ କମ୍‌ ବାଳକ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ‌ ପଦକ ବିଜେତାମାନଙ୍କୁ ଏସ୍‌ଆର ଚେସ୍‌ ସେଣ୍ଟର ପକ୍ଷରୁ ସତ୍ୟରଞ୍ଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର