ଭୁବନେଶ୍ୱର: ଜାତୀୟ ୧୪ ବର୍ଷରୁ କମ୍ ବିଦ୍ୟାଳୟ ରଗ୍ବି ଫୁଟ୍ବଲ୍ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ୟୁନିଟ୍-୬ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୋମବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ରଗ୍ବି ଫୁଟ୍ବଲ୍ ସଂଗଠନ ଓ ଓଡ଼ିଶା ରଗ୍ବି ସଂଗଠନର ମିଳିତ ସହଯୋଗରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବିଭାଗ ତରଫରୁ ଏହି ପ୍ରତିଯୋଗିତାରେ ଓଡ଼ିଶା (ଉଭୟ ବାଳକ ଓ ବାଳିକା) ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛିି। ସୋମବାର ଖେଳାଯାଇଥିବା ବାଳକ ବର୍ଗର ଦୁଇଟି ମ୍ୟାଚ୍ରେ ଓଡ଼ିଶା ୩୦-୦ରେ ତେଲେଙ୍ଗାନାକୁ ଏବଂ ୫-୦ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ସେହିପରି ଓଡ଼ିଶା ବାଳିକା ଦଳ ୩୫-୦ରେ ପଞ୍ଜାବକୁ ହରାଇଥିଲା ବେଳେ ଗୁଜରାଟ ସହ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଏହି ପ୍ରତିଯୋଗିତାରେ ବାଳକରେ ୯ ଏବଂ ବାଳିକାରେ ୭ ଦଳ ଅଂଶଗ୍ରହଣ କରିଛନ୍ତି। ବାଳକରେ ୧୦୩, ବାଳିକାରେ ୮୪ ପ୍ରତିଯୋଗୀଙ୍କ ସମେତ ୩୦ ଅଧିକାରୀ ଯୋଗ ଦେଇଥିଲା ବେଳେ ପର୍ଯ୍ୟାବେକ୍ଷକଭାବେ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଡକ୍ଟର ଅନୀଲ ବଶିଷ୍ଟ ଏବଂ ସନ୍ଦୀପ ମୋସମକର ଯୋଗ ଦେଇଛନ୍ତି।
ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ମଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉପନିର୍ଦେଶିକା ସ୍ନେହମୟୀ ସେନାପତି, ସହ ନିର୍ଦେଶିକା ଲକ୍ଷ୍ମୀପ୍ରିୟା ଦେଇ ଏବଂ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ସହନିର୍ଦେଶକ ପ୍ରଭାକର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର