ଜାତୀୟ ମହିଳା ଫୁଟ୍‌ବଲ୍‌: ମଣିପୁରଠୁ ହାରି ଓଡ଼ିଶା ଉପବିଜେତା

କଟକ: ଗତ ବର୍ଷର ଉପ ବିଜେତା ମଣିପୁର ଏଥର ଘରୋଇ ଓଡ଼ିଶାକୁ ହରାଇ ଜାତୟ ମହିଳା ଫୁଟ୍‌ବଲ୍ ଟ୍ରଫି କବ୍‌ଜା କରିଛି। ବାରବାଟୀ ଷ୍ଟାଡିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ମଣିପୁର ୨-୧ ଗୋଲରେ ପୂର୍ବ ବିଜେତା ଓଡ଼ିଶାକୁ ହରାଇ ୧୯ ଥର ପାଇଁ ଟ୍ରଫି ହାସଲ କରିଛି। ଆରମ୍ଭରୁ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳୁଥିବା ମଣିପୁର ଓଡ଼ିଶା ଖେଳାଳିଙ୍କୁ ବଲ୍‌ ନେବା ପାଇଁ କୌଣସି ମୌକା ଦେଉନଥିଲେ। ଟିକିନା ସାମଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକାଧିକ ଗୋଲ ସୁଯୋଗକୁ ସେ ଏଡ଼ାଇ ପାରିଥିଲେ। ତଥାପି ୪୫ତମ ମିନିଟ୍‌ରେ ମଣିପୁର ଅଧିନାୟିକା ଏନ୍‌ଜି ବାଲା ଦେବୀ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଦ୍ବିତୀୟାର୍ଧ ଆରମ୍ଭ ହେବାର ୫ ମିନିଟ୍‌ ପରେ ପରମେଶ୍ବରୀ ଦେବୀ ଆଉ ଏକ ଗୋଲ ଦେବାରୁ ଓଡ଼ିଶା ଚାପରେ ଆସିଯାଇଥିଲା। ଏଥି ଯୋଗୁଁ ଟିକିନାଙ୍କ ବଦଳରେ ସୁକାନ୍ତି ରାଉଳଙ୍କୁ ଗୋଲପୋଷ୍ଟ ଦାୟିତ୍ବ ଦିଆଯାଇଥିଲା। ବିଳମ୍ବରେ ହେଲେ ବି ୮୧ ତମ ମିନିଟ୍‌ରେ ଓଡ଼ିଶା ଖାତା ଖୋଲିଥିଲା। ଡାହାଣପଟୁ ଆସୁଥିବା ବଲ୍‌କୁ ରୋକିବାକୁ ଯାଇ ଗୋଲରକ୍ଷକ ପାନ୍ଥୋଇ ଚାନୁ ବଲ୍‌ ହାତଛଡ଼ା କରିିଥିଲେ। ଏହାର ଫାଇଦା ନେଇ ପଛପଟେ ଥିବା ଆରତୀ ସେଠୀ ବଲ୍‌କୁ ପୋଷ୍ଟ ଭିତରକୁ ମାରିବାରେ ସଫଳ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ ନହେବାରୁ ମଣିପୁର ମ୍ୟାଚକୁ ଜିତିଯାଇଥିଲା।

ଉଦ୍‌ଯାପନୀ ସମାରୋହରେ ବାରବାଟୀ କଟକ ବିଧାୟକ ତଥା ଫାଓ ସଭାପତି ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି, ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଆନ୍ତର୍ଜାତିକ ଖେଳାଳି ତଥା ପୂର୍ବତନ ଭାରତୀୟ ଦଳ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପ୍ରଶିକ୍ଷକ ଗୀତାଞ୍ଜଳି ଖୁଣ୍ଟିଆ, ସିଏମ୍‌ସି କର୍ପୋରେଟର ର˚ଜନ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିଜୟ ଦାସ, ଭକ୍ତ ବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ଦିଲ୍ଲୀପ କୁମାର ସାହୁ, ସୁବ୍ରତ ପଣ୍ତା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ବିଜୟ କୁମାର ଦାସ, ସଙ୍ଗୀତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର